Categories: ଖେଳ

ଚୌକା-ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୫।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ତମ ସିଜନ ଅର୍ଥାତ୍‌ ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ଆସନ୍ତା ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏବଂ ଦଳର ଅଧିକାଂଶ ଖେଳାଳି ବର୍ତ୍ତମାନ ଚେନ୍ନାଇରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଅଭ୍ୟାସ କରୁଛନ୍ତି। ଅଭ୍ୟାସ ସମୟରେ ସମସ୍ତଙ୍କ ନଜର ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ଥିଲା। ସେ ନେଟ୍ସରେ ଲମ୍ବା ଛକା ମାରି ସମସ୍ତଙ୍କ ହୃଦୟ ଜିତିଥିଲେ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ। ଷ୍ଟାଡିୟମ ବାହାରେ ଲକ୍ଷ ଲକ୍ଷ ପ୍ରଶଂସକ ଧୋନୀଙ୍କ ଝଲକ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହା ବ୍ୟତୀତ ଦଳର ଅଭ୍ୟାସ ଅଧିବେଶନ ଦେଖିବା ପାଇଁ ଷ୍ଟାଡିୟମ ଭିତରେ ଅନେକ ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ।
ଷ୍ଟାଡିୟମରେ ଅଭ୍ୟାସ କରୁଥିବାବେଳେ ଧୋନୀ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରି ଧୋନୀ ଷ୍ଟାଡିୟମ ବାହାରେ କିଛି ବଲ ପକାଇ ଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ମହେନ୍ଦ୍ର ସିଂ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ଦେଇଥିଲେ। ଏହା ତାଙ୍କର ଶେଷ ଆଇପିଏଲ ସିଜିନ୍‌ ହୋଇପାରେ ବୋଲି ଆଶା କରାଯାଉଛି। ଧୋନି ତାଙ୍କ ପୂର୍ବ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ସେ ଚେନ୍ନାଇର ପ୍ରଶଂସକଙ୍କ ସାମ୍ନାରେ ଆଇପିଏଲରେ ତାଙ୍କର ଶେଷ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି।

Share