ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍କେ ମଙ୍ଗଳବାର ତା’ର ପରବର୍ତ୍ତୀ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଏହା ବଦଳରେ ଧୋନୀ ଚେନ୍ନାଇରେ ରହି କାଫ ଇଞ୍ଜୁରି ଲାଗି ରେହାବିଲିଟେଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ଦର୍ଶାଉଛି ଯେ, ଧୋନୀ ଏବେ ବି ଖେଳିବାକୁ ପ୍ରସ୍ତୁତ ନୁହନ୍ତି। ଏହାସତ୍ତ୍ୱେ ଫ୍ରାଞ୍ଚାଇଜ ଅଧିକାରୀ ତାଙ୍କୁ ଏପର୍ଯ୍ୟନ୍ତ ପୂରା ଟୁର୍ନାମେଣ୍ଟରୁ ବାଦ୍ ଦେଇ ନାହାନ୍ତି। ସିଏସ୍କେକୁ ଲିଗ୍ରେ ଆଉ ୫ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ଧୋନୀ କୌଣସି ପର୍ଯ୍ୟାୟରେ ଖେଳିବାକୁ ଉପଲବ୍ଧ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପରେ ଚେନ୍ନାଇ ଆସନ୍ତା ୧୦ ଓ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ।