Categories: ଖେଳ

ଅବସର ପରେ ଟମାଟୋ-ଦୁଗ୍ଧ ବିକ୍ରି କରୁଛନ୍ତି ଧୋନୀ

ରାଞ୍ଚି,୨୪।୧୧: ବଡ଼ ବଡ଼ ସେଲିବ୍ରିଟି ନିଜ ଜୀବନରେ କ’ଣ କରୁଛନ୍ତି କେମିତି ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧାନୀ ଏବେ କ’ଣ କରୁଛନ୍ତି ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଛି। ହେଲେ ଜାଣିଛନ୍ତି କି, କ୍ୟାପଟେନ କୁଲ ଏବେ ରାଞ୍ଚିରେ ଟମାଟୋ ଓ ଦୁଗ୍ଧ ବିକ୍ରି କରୁଛନ୍ତି।

ସୂଚନାଯୋଗ୍ୟ, ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଦୁଗ୍ଧ ଚାଷ ଓ ଅର୍ଗାନିକ ଚାଷ ଉପରେ ଧ୍ୟାନ ଦେଉଛନ୍ତି। ଝାଡ଼ଖଣ୍ଡ ରାଞ୍ଚି ଜିଲାର ଧୁର୍ବା ସ୍ଥିତ ସେମ୍ବୋରେ ଥିବା ତାଙ୍କର ୫୫ ଏକର ଜମିରେ ଚାଷ କରୁଥିବା ଜଣାପଡ଼ିଛି। ଯେଉଁଠାରେ ଦୁଗ୍ଧ ଚାଷ ସହ ଅର୍ଗାନିକ ଚାଷ ମଧ୍ୟ କରାଯାଉଛି। ବର୍ତ୍ତମାନ ଧୋନୀଙ୍କ ଫାର୍ମ ହାଉସ୍‌ରେ ଋତୁକାଳୀନ ପନିପରିବା ଉତ୍ପାଦନ କରାଯାଉଛି। ଯଥା ଫୁଲ କୋବି, ବନ୍ଧା କୋବି, ବ୍ରୋକଲି ଓ ଟମାଟୋ। ଉକ୍ତ ଫାର୍ମ ହାଉସ୍‌ରେ ପ୍ରତ୍ୟେକ ଦିନ ଅର୍ଗାନିକ ଉପାୟରେ ୮୦ କିଲୋ ଟମାଟୋ ଉତ୍ପାଦନ ହେଉଛି। ଯାହାକୁ ବଜାରରେ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ମିଳିଛି।

ସେହିପରି ପ୍ରତିଦିନ ପ୍ରାୟ ୩୦୦ଲିଟର ଦୁଗ୍ଧ ଉତ୍ପାଦନ କରାଯାଉଥିବା ବେଳେ ଏହାର ଦାମ୍‌ ଲିଟର ପିଛା ୫୫ ଟଙ୍କା ରହିଛି। ଧୋନୀଙ୍କ ଗୋଶାଳାରେ ବର୍ତ୍ତମାନ ୭୦ଟି ଗାଇ ଥିବା ବେଳେ ଏମାନଙ୍କୁ ପଞ୍ଜାବରୁ ଅଣାଯାଇଛି। ତେବେ ଏହି ଫାର୍ମ ହାଉସ୍‌ର ସମସ୍ତ କାର୍ଯ୍ୟ ଶିବାନନ୍ଦନ ଓ ତାଙ୍କ ପତ୍ନୀ ସୁମନ ଯାଦବ ବୁଝାସୁଝା କରୁଛନ୍ତି। ଦୁଗ୍ଧ ଓ ଟମାଟୋ ବିକ୍ରି କରି ଯେତିକି ଟଙ୍କା ଆୟ ହୁଏ ସେସବୁ ଧୋନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଏ। ଏପର୍ଯ୍ୟନ୍ତ ୧ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇଛି ବୋଲି ଶିବାନନ୍ଦନ କହିଛନ୍ତି।

Share