କେବେ ବିବାହ କରିବେ ବାବା ବାଗେଶ୍ୱର? କେମିତି ଚାହାନ୍ତି ଜୀବନସାଥୀ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରଦେଶର ଛତରପୁରସ୍ଥିତ ବାଗେଶ୍ୱର ଧାମର ମହନ୍ତ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିକଟରେ ଦେଇଥିବା ସାକ୍ଷାତକାରରେ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ସେ ନିଜ ବିବାହ ଏବଂ ପସନ୍ଦର କନ୍ୟା ବିଷୟରେ ମଧ୍ୟ ମନ ଖୋଲି କଥା କହିଛନ୍ତି।

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ସାଧାରଣତଃ ବିଭିନ୍ନ ରଙ୍ଗର ପୋଷାକରେ ଦେଖିବାକୁ ମିଳେ। ଅନ୍ୟ କଥାବାଚକଙ୍କ ତୁଳନାରେ ତାଙ୍କ ପୋଷାକ ଶୈଳୀ ଟିକେ ଭିନ୍ନ। ସେ ଏହି ପୋଷାକ ନିଜ ସଉକରେ ପିନ୍ଧନ୍ତି କି ଅନ୍ୟ କେହି ତାଙ୍କ ପାଇଁ ବାଛନ୍ତି ବୋଲି ପଚରାଯିବାରୁ ସେ କହିଥିଲେ, ଲୋକଙ୍କ ଶ୍ରଦ୍ଧା ହିଁ ପୋଷାକ ବାଛିଦିଏ। ଆମର ସମସ୍ତ ଚେଲା ଓ ପିଲାମାନେ ଯାହା ଶ୍ରଦ୍ଧାର ସହ ଦେଇଯାଆନ୍ତି, ଆମେ ସେଇଟା ପିନ୍ଧିଥାଉ। ସେ ଆହୁରି କହିଥିଲେ ଯେ, ତାଙ୍କର ନିଜସ୍ବ କୌଣସି ବିଶେଷ ପସନ୍ଦ ନାହିଁ। ଜୀବନରେ ସେ ଗୋଟିଏ ଯୋଡ଼ା କୁର୍ତ୍ତାରେ ମଧ୍ୟ ଦିନ କାଟିଛନ୍ତି ଏବଂ ଚିରା ପୋଷାକ ମଧ୍ୟ ପିନ୍ଧିଛନ୍ତି ବୋଲି ସେ କହିଛନ୍ତି।

ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିବାହକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଆସୁଛି। ତାଙ୍କ ଅନୁଗାମୀମାନେ ମଧ୍ୟ ବାବା ବାଗେଶ୍ୱର କେବେ ବିବାହ କରିବେ, ତାହା ଜାଣିବାକୁ ଆଗ୍ରହୀ।

ଏହି ପ୍ରଶ୍ନର ଉତ୍ତରରେ ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ, ବିବାହ ହେବାର ଅଛି, ଏବେ ଦେଖନ୍ତୁ କେବେ ହେଉଛି। ଗୋଟିଏ କାମ କରନ୍ତୁ, ଆପଣ ଧାମକୁ ଆସନ୍ତୁ ଏବଂ ଅର୍ଜି ଲଗାନ୍ତୁ। ଆମେ ପର୍ଚ୍ଚାରେ ଲେଖିଦେବୁ ଯେ ଆମର ବିବାହ କେବେ ହେବ।

ବାବା ବାଗେଶ୍ୱରଙ୍କୁ ତାଙ୍କ ପସନ୍ଦର କନ୍ୟା ବିଷୟରେ ମଧ୍ୟ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, ଏହି ନିଷ୍ପତ୍ତି ତାଙ୍କ ମାତା-ପିତା ନେବେ। ତେବେ ଝିଅଟି ଏଭଳି ହେବା ଦରକାର, ଯିଏ ତାଙ୍କ ପରିସ୍ଥିତିକୁ ବୁଝିପାରିବ।

ସେ କହିଥିଲେ, ସେ ଯଦି ସମୟ ଦେଇ ନପାରନ୍ତି, ତଥାପି ଯିଏ ପରିବାରର ସେବା କରିପାରିବେ, ପରିବାରର ପରିବେଶ ଏବଂ ଗାଁର ପରମ୍ପରାରେ ଖାପ ଖୁଆଇପାରିବେ, ସେଭଳି କନ୍ୟା ତାଙ୍କର ପସନ୍ଦ। ସେହିପରି ବାବା ବାଗେଶ୍ୱରଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ତାଙ୍କର ଏହି ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି।

 

Odisha’s No.1 Odia Daily

Share