ଡବଲ ସିଟ୍‌ରେ ଧୀରେନ୍‌

ଏକାଥରେ ଦୁଇଟି ଦାୟିତ୍ୱ ତୁଲାଇବା ସହଜ କଥା ନୁହେଁ। ହେଲେ ସେ ଏପରି କାମକୁ ରିସ୍କ ଭାବରେ ନେଇଛନ୍ତି। ସିନେମାଟିଏ ପ୍ରଯୋଜନା କରିବା ସହ ତାହାର ନାୟକ ସାଜିଛନ୍ତି ସେ। ସେ ହେଲେ ନବାଗତ ଧୀରେନ୍‌ ତ୍ରିପାଠୀ। କେବଳ ସେତିକି ନୁହେଁ, ସେ ପ୍ରଯୋଜନା କରିଥିବା ଚିତ୍ରଟିର ଟାଇଟଲ ରହିଛି ‘ଆଇଆଇସି ଧୀରେନ୍‌’। ରହସ୍ୟ, ରୋମାଞ୍ଚଭରା କାହାଣୀକୁ ଆଧାର କରି ଚିତ୍ରଟି ନିର୍ମିତ ହୋଇଛି। ଜଣେ ପୋଲିସ ଅଫିସର କିପରି ଅନ୍ୟାୟ ବିରୁଦ୍ଧରେ ଲଢ଼ୁଛି ତାହା ଏଥିରେ ଦେଖିବାକୁ ମିଳିବ। ଏହାର ସଂଳାପ ରଚନା କରିଛନ୍ତି ଓଲିଉଡ୍‌ର ଆଗଧାଡିର ତଥା ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଚିତ୍ରଟିର ସହ-ପ୍ରଯୋଜକ ହେଉଛନ୍ତି ଉମା ପ୍ରଧାନ ଏବଂ ସ୍ମିତା ତ୍ରିପାଠୀ। ଧୀରେନ୍‌ଙ୍କ ସହ ଏଥିରେ ସ୍କ୍ରିନ୍‌ ଶେୟାର କରୁଛନ୍ତି ଅର୍ପିତା ଏବଂ ଇପ୍‌ସିତା। ଖାସ୍‌ କଥା ହେଲା, ଏହି ଫିଲ୍ମରେ ଶ୍ରୀତମ ଦାସ ଡବଲ ରୋଲ୍‌ (ନେଗେଟିଭ, ପଜେଟିଭ୍‌)ରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ। ଏଥିରେ ସଂଯୋଜିତ ୫ଟି ଗୀତକୁ ସ୍ବର ଦେଇଛନ୍ତି ନବାଗତ ସ୍ବର ସଂଯୋଜକ ଯୋଡି କାଳୀପ୍ରସାଦ-ରବି କୁମାର। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ରଥ। ତେବେ ଏପରି ଦୁଇଟି ଦାୟିତ୍ୱକୁ ଧୀରେନ୍‌ କିପରି ତୁଲାଇଛନ୍ତି ତାହା ଫିଲ୍ମଟି ରିଲିଜ ହେଲେ ଜଣାପଡିବ।

Share