ଜଳବନ୍ଦୀରେ ଢିଅବସୁପୁର ଗାଁ

ଡେରାବିଶ, ୧୯ା୮(ସ୍ବ.ପ୍ର.): ଲୁଣା ଓ କରାଣ୍ଡିଆ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବସୁପୁର ପଞ୍ଚାୟତର ଢିଅବସୁପୁର ଗାଁର ଲୋକମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗତ ଦୁଇଦିନ ହେବ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ଢିଅବସୁପୁର ଗାଁରେ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଗାଁ ଭିତରେ ଥିବା ଘରଗୁଡିକରେ କରାଣ୍ଡିଆ ନଦୀର ବନ୍ୟାଜଳ ଲହଡ଼ି ଭାଙ୍ଗୁଛି। ଗାଁ ଦାଣ୍ଡରେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି। ଏଥିସହ ଗୃହପାଳିତ ପ୍ରାଣୀ ଓ ବହୁ ପରିବାର ନଦୀବନ୍ଧରେ ଅସ୍ଥାୟୀ ପଲିଥିନ୍‌ ତଳେ ଆଶ୍ରୟ ନେଇଛନ୍ତି। ତେବେ ବନ୍ୟା ପ୍ରକୋପ ପାଇଁ ଲୋକଙ୍କ ମନରେ ସାମାନ୍ୟ ଆଶଙ୍କା କମିଥିବା ବେଳେ ଜଳବନ୍ଦୀ ମଧ୍ୟରେ ଥିବା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଶୁକ୍ରବାର ଲଘୁଚାପ ଜନିତ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବାରୁ ନଦୀକୂଳିଆ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି।