ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁକ୍ତାପଶି ମେଡିକାଲ ଛକ ନିକଟରେ । ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ହେଲେ ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମର ଅଜିତ ନାଏକ ଓ ଅନିଲ ନାଏକ। ସେହି ଗ୍ରାମର ସୁମନ୍ତ ନାଏକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ତିନି ଜଣ ଗୋଟିଏ ବାଇକ୍ରେ ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ମୁକ୍ତାପଶି ମେଡିକାଲ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଜିତ ଓ ଅନିଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗୁରୁତର ଆହତ ସୁମନ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବର ପାଇ କାମାକ୍ଷାନଗର ଥାନାର ସହକାରୀ ଉପନିରୀକ୍ଷକ (ଏଏସ୍ଆଇ) ଟିକି ଗଡ଼ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ ।