Categories: ଖେଳ

ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ

ମୁମ୍ବାଇ, ୧୦।୪(ପି.ଟି.)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି ଥିଲେ ହେଁ ପନ୍ତଙ୍କ ଉପରେ ଫ୍ରାଞ୍ଚାଇଜ୍‌ ଆସ୍ଥାପ୍ରକଟ କରିଛି। ତେବେ ଆବଶ୍ୟକ ସମୟରେ ସେ ଶିଖର ଧାଓ୍ବନ, ଅଜିଙ୍କ୍ୟ ରାହାନେ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରାମର୍ଶ ନେବେ ବୋଲି ପନ୍ତ ପ୍ରକାଶ କରିଛନ୍ତି। ଆଇପିଏଲରେ ଅନ୍ୟତମ କମ୍‌ ବୟସ୍କ ଅଧିନାୟକ ହୋଇଛନ୍ତି ପନ୍ତ। ଶ୍ରେୟାସ ଆୟାର ଆହତ ଥିବାରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି। ଏହା ତାଙ୍କ ପାଇଁ କିଛି ନୂଆ ନୁହେଁ। ସେ ଅଧିନାୟକ ନ ଥିବାବେଳେ ମଧ୍ୟ ଉଇକେଟ କିପରଭାବେ ବିଭିନ୍ନ ସମୟରେ ଫିଲ୍ଡିଂ ସଜ୍ଜା କରିଥାନ୍ତି ବୋଲି ପନ୍ତ କହିଛନ୍ତି। ” ମୁଁ କୋଚ୍‌ ରିକି ପଣ୍ଟିଂ ଓ ବୋଲିଂ କୋଚ୍‌ ଜେମ୍ସ ହୋପ୍ସଙ୍କ ସହ ଆଲୋଚନା କରିଛି। ଆମ ଦଳ ଯୁବ ଓ ଅଭିଜ୍ଞଙ୍କୁ ନେଇ ବେଶ୍‌ ସନ୍ତୁଳିତ। ରିକିଙ୍କ ଉପସ୍ଥିତିରେ ଆମେ ଏଥର କିଛି ନୂଆ କରି ଦେଖାଇବାକୁ ଯୋଜନା ରଖିଛୁ। ମୁଁ ଅଧିନାୟକ ଦାୟିତ୍ୱ ତୁଲାଇବାକୁ ଯାଉଛି ବୋଲି ଅଧିକ କିଛି ଚିନ୍ତା କରୁନାହିଁ। ମୁଁ ପୂର୍ବପରି ପଡ଼ିଆକୁ ଯାଇ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଉଇକେଟ କିପରଭାବେ ଯେପରି ପଡ଼ିଆ ସଜ୍ଜା କରୁଥିଲି ଏବେ ଅଧିନାୟକ ଭାବେ ତାହା କରିବି। ତେଣୁ ମୋ ପାଇଁ ବିଶେଷ କିଛି ଅସୁବିଧା ହେବନି“ ବୋଲି ପନ୍ତ କହିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସର ଆଇପିଏଲ ରେକର୍ଡ ବହୁତ ଭଲ। ତେଣୁ ଏହି ଦଳ ବିପକ୍ଷରେ କଡ଼ା ସଂଘର୍ଷ ହେବ ବୋଲି ପଣ୍ଟିଂ ଆଶା କରୁଛନ୍ତି। ତେବେ ତାଙ୍କ ଦଳର ପ୍ରତି ଖେଳାଳି ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

Share