ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ଭୁବନେଶ୍ୱର,୨୮।୯(ବ୍ୟୁରୋ):  ସାମଗ୍ରିକ ଏବଂ ସମାବେଶୀ ସ୍ବାସ୍ଥ୍ୟ ମଡେଲ ତଥା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟା ଦୂରକରିବା ଦିଗରେ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଆୟୁଷ୍ମାନ ଭାରତ-ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଦ୍ୱାରା ଦେଶରେ ଥିବା ହସ୍ପିଟାଲ ମଧ୍ୟରେ ଲୋକଙ୍କୁ ଡିଜିଟାଲ ସ୍ବାସ୍ଥ୍ୟସେବା ଯୋଗାଇବାରେ ସଂଯୋଗ ସ୍ଥାପନ କରିବ। ଦେଶର ସ୍ବାସ୍ଥ୍ୟସେବାକୁ ଅଧିକ ସଶକ୍ତ ଏବଂ ସୁଗମ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ଡିଜିଟାଲରେ ସୁରକ୍ଷିତ ରହିବ। ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଲାଭ ପାଇପାରିବେ ା ଏହି ଡିଜିଟାଲ ସ୍ବାସ୍ଥ୍ୟ ମିଶନ କେବଳ ଦେଶରେ ସ୍ବାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ବଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଙ୍କଟରୁ ମଧ୍ୟ ଲୋକଙ୍କୁ ରକ୍ଷା କରିବାରେ ସହାୟକ ହେବ। ଆୟୁଷ୍ମାନ ଯୋଜନା ଦେଶରେ ଗରିବ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଲୋକ ମାଗଣା ସ୍ବାସ୍ଥ୍ୟସେବାରେ ଉପକୃତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ହିତାଧିକାରୀ ରହିଛନ୍ତି।