କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮:  କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ  ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ ଘେରିଛି ଭାଜପା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସର ଏହି ନିଷ୍ପତ୍ତିକୁ ‘ତୁଷ୍ଟୀକରଣ ରାଜନୀତି’ର ପୁନରାବୃତ୍ତି ବୋଲି କହି ଟାର୍ଗେଟ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସମୟରେ ‘ବନ୍ଦେ ମାତରମ୍’ ଦେଶବାସୀଙ୍କ ମନରେ ଦେଶପ୍ରେମ ଓ ଆତ୍ମସମ୍ମାନର ଭାବନା ଜାଗ୍ରତ କରିଥିଲା। ଏଭଳି ଏକ ଜାତୀୟ ଗୌରବର ପ୍ରତୀକର ସମ୍ପୂର୍ଣ୍ଣ ପାଠରୁ ପଛକୁ ହଟିବା କେବଳ ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ କଂଗ୍ରେସର ପୁରୁଣା ତୁଷ୍ଟୀକରଣ ରାଜନୀତିର ପୁନରାବୃତ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୧୯୩୭ ମସିହାରେ ମଧ୍ୟ କଂଗ୍ରେସ ଭୋଟ୍ ବ୍ୟାଙ୍କ ଚାପରେ ‘ବନ୍ଦେ ମାତରମ୍’କୁ ସୀମିତ କରିବାର ନିଷ୍ପତ୍ତି ନେଇଥିଲା। ଏହି ତୁଷ୍ଟୀକରଣ ରାଜନୀତି ଦେଶର ଏକତାକୁ ଦୁର୍ବଳ କରିଥିବା ଶକ୍ତିଗୁଡ଼ିକୁ ସୁଯୋଗ ଦେଇଥିଲା ଏବଂ ଦେଶ ବିଭାଜନର ଭୟଙ୍କର ଦୁଃଖ ଭୋଗିଥିଲା ବୋଲି ପ୍ରଧାନ କହିଛନ୍ତି।

‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ ଏହି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ପ୍ରଧାନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଇତିହାସର ଭୁଲରୁ ଶିଖିବା ପରିବର୍ତ୍ତେ କଂଗ୍ରେସ ସେହି ଭୁଲକୁ ପୁଣିଥରେ ଦୋହରାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ଏକତା ଓ ଜାତୀୟ ସମ୍ମାନ କୌଣସି ଭୋଟ୍ ବ୍ୟାଙ୍କଠାରୁ ବଡ଼। ବନ୍ଦେ ମାତରମ୍’ର ସମ୍ମାନ ସହ ଦେଶ କେବେ ବୁଝାମଣା କରିବ ନାହିଁ ବୋଲି ସେ କହିବା ସହ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି—କଂଗ୍ରେସ ପାଇଁ ଦେଶର ଜାତୀୟ ଗୌରବ ବଡ଼ ନା ଭୋଟ୍ ବ୍ୟାଙ୍କ ରାଜନୀତି? । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ।

 

Dharitri – Odisha’s No.1 Odia Daily

Share