ଆଇଟିଆଇ ଛାତ୍ରୀଛାତ୍ରଙ୍କ ପାଇଁ ଡିଜିଟାଲ ସଂସ୍କରଣ ଉନ୍ମୋଚନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୧୨।୪(ବ୍ୟୁରୋ): ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ନିଯୁକ୍ତି ଦକ୍ଷତା ପାଠ୍ୟକ୍ରମର ଡିଜିଟାଲ ସଂସ୍କରଣକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଫ୍ୟୁଚର ସ୍କିଲସ୍‌ ଫୋରମଠାରେ ମଙ୍ଗଳବାର ଉନ୍ମୋଚନ କରିଛନ୍ତି। ଏଥିରେ ଉପଲବ୍ଧ ଥିବା ଡିଜିଟାଲ ପାଠକୁ ବ୍ୟବହାରକରି ଦକ୍ଷତା ପରିସଂସ୍ଥାନର ୨୫ ଲକ୍ଷ ଶିକ୍ଷାର୍ଥୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ।
ଧର୍ମେନ୍ଦ୍ର ଏହି ଅବସରରେ କହିଛନ୍ତି, ସବୁ ସମୟର ଆବଶ୍ୟକତାକୁ ପୂରଣ କରିବା, ସବୁଠି ପଢ଼ିବା ଲକ୍ଷ୍ୟରେ ଏହି ମାପଦଣ୍ଡକୁ କେନ୍ଦ୍ର ସରକାରଙ୍କ ଭାରତ ପୋର୍ଟାଲ ଏବଂ ଅନ୍ୟ ପ୍ଲାଟ୍‌ଫର୍ମ ମାଧ୍ୟମରେ ୨୫ ଲକ୍ଷ ଶିକ୍ଷାର୍ଥୀ ବ୍ୟବହାର କରିପାରିବେ। ଶିଳ୍ପସଂସ୍ଥା ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମରେ ୧୨ଟି ମଡ୍ୟୁଲ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦକ୍ଷତା ବୃଦ୍ଧି ଦ୍ୱାରା ରୋଜଗାର କ୍ଷମତା ବଢ଼ାଇବା, ଭାରତର ଭବିଷ୍ୟତକୁ ବଢ଼ିବାକୁ ଦିଆଯିବା ଏବଂ ଏକବିଂଶ ଶତାବ୍ଦୀ ସକାଶେ ମାନବ ସମ୍ବଳ କିପରି ପ୍ରସ୍ତୁତ ହେବେ ସେହି ସଂକ୍ରାନ୍ତରେ ସେ ମଧ୍ୟ ଚର୍ଚ୍ଚା ଓ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ଭାରତ ସର୍ବବହତ୍‌ ଅର୍ଥନୀତିରେ ପରିଣତ ହେବ। ଡିଜିଟାଲ ପେମେଣ୍ଟସରୁ ଭାକ୍ସିନେଶନ ପର୍ଯ୍ୟନ୍ତ ଆମେ ପ୍ରଯୁକ୍ତିବିଦ୍ୟାକୁ ଜୀବନର ଅନେକ କ୍ଷେତ୍ରରେ ଆପଣାଇବା ସହ ଆଗକୁ ବଢୁଛୁ ଏବଂ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସେବା ସୁବିଧା ପ୍ରଦାନ କରାଯାଉଛି। ବର୍ତ୍ତମାନର ଆଧୁନିକ ଯୁଗରେ କର୍ମକ୍ଷେତ୍ରର ଭଙ୍ଗୀରେ ପରିବର୍ତ୍ତନ ଆସୁଛି। ଦକ୍ଷତା ବିକାଶ ହିଁ ଡେମୋଗ୍ରାଫି କ୍ଷମତାର ଠିକ୍‌ ଉପଯୋଗ କରିବାର ଏକ ଚାବିକାଠି ହେବ। ଦକ୍ଷତା ପରିସଂସ୍ଥାନକୁ ସୁଦୃଢ଼ କରିବା ସହ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଓ ଆଇଓଟି ଭଳି ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସମାଜର ବୃହତ୍‌ କଲ୍ୟାଣ ଓ ଭବିଷ୍ୟତର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ପାଇଁ ଶିଳ୍ପ ସମୂହ ଏକତ୍ର ହେବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ଭାରତର ସାମର୍ଥ୍ୟ ବିଶ୍ୱକୁ ଲାଭ ଦେବ। ଜାତୀୟ ଶିକ୍ଷାନୀତି ମଧ୍ୟ ପାଠ ପଢ଼ିବା ସହ ରୋଜଗାର କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।