ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ସମ୍ବଲପୁର ଜିଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମ (ଏସଏମସି)ର ମିଳିତ ଆୟୋଜନରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଆୟୋଜିତ ବିଶାଳ ଗଣ ସଫେଇ ଅଭିଯାନରେ ଯୋଗଦେଇ ସେ ଏହି ଆହ୍ବାନ ଦେଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରିବେଶକୁ ସଫାସୁତୁରା ରଖିବା କେବଳ ସରକାରୀ ବ୍ୟବସ୍ଥାର ଦାୟିତ୍ୱ ନୁହେଁ। ପ୍ରତ୍ୟେକ ନାଗରିକ ନିଜ ଘରୁ ବାହାରି ଆଖପାଖ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିବା ଆବଶ୍ୟକ। ସ୍ବଚ୍ଛତାକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କଲେ ହିଁ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ସମ୍ଭବ ହେବ। ନବରାତ୍ରି ପୂର୍ବରୁ ସମ୍ବଲପୁରବାସୀ ଏହି ସ୍ବଚ୍ଛତା ଅଭିଯାନ ମାଧ୍ୟମରେ ଦେଶ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ମହାଅଭିଯାନରେ ଲକ୍ଷ୍ମୀଟକିଜ ଛକରୁ ଗୋଲବଜାର ଛକ ପର୍ଯ୍ୟନ୍ତ ଗଣ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ ଖତ୍ରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଏସଏମ୍ସିର କର୍ମଚାରୀମାନେ ଯୋଗ ଦେଇଥିଲେ। ଏହାସହ ସମ୍ବଲପୁରର ଯୁବଗୋଷ୍ଠୀ, ମହିଳା ସଂଗଠନ, ସାମାଜିକ ଅନୁଷ୍ଠାନ, ଛାତ୍ରୀଛାତ୍ର ଓ ସାଧାରଣ ନାଗରିକମାନେ ସ୍ବେଚ୍ଛାକୃତ ଭାବେ ଏଥିରେ ସାମିଲ ହୋଇ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଥିଲେ। ସ୍ବଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ସହ ସହରକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ଏଭଳି ସାମୂହିକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅଭିଯାନରୁ ବାର୍ତ୍ତା ମିଳିଛି।

 

Dharitri – Odisha’s No.1 Odia Daily

 

Share