ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଜଳସେଚନ ବିଭାଗ ତତ୍ପରତା ପ୍ରକାଶ କରିଛି। ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇଛନ୍ତି। ଏହି ସମ୍ପର୍କରେ ପିଲାସାଲୁଙ୍କି ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁମା ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଡ୍ୟାମରେ ଗଚ୍ଛିତ ଥିବା ଜଳ କେବଳ ଚାଷୀମାନଙ୍କ ଉଦ୍ଦେଶ୍ୟରେ ହିଁ ରହିଛି। ଗତ କିଛି ଦିନ ହେବ କନ୍ଧମାଳ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ’ରେଡ ୱାର୍ଣ୍ଣିଂ’ ଜାରି କରାଯାଇଥିଲା।
ସମ୍ଭାବ୍ୟ ବନ୍ୟା ଓ ଅପ୍ରତ୍ୟାଶିତ ସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ଦୃଷ୍ଟିରୁ କେନାଲରେ ଜଳ ନିଷ୍କାସନ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ବିଭାଗ ସଦାସର୍ବଦା ଚାଷୀଙ୍କ ସମସ୍ୟା ପ୍ରତି ସଜାଗ ରହିଛି ବୋଲି ପ୍ରକାଶ କରିବା ସହ ମଙ୍ଗଳବାରଠାରୁ କେନାଲରେ ପାଣି ଛଡ଼ାଯିବ ବୋଲି କାର୍ଯ୍ୟ ର୍ନିବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଯୋଗ୍ୟ, ଆଷାଢ଼ ଓ ଶ୍ରାବଣ ମାସରେ ରୁଆ-ବେଉସା ସମୟ ଗଡ଼ିଯାଉଥିବା ବେଳେ କେନାଲ ମରାମତି ଓ ପାଣି ନ ମିଳିବା ଯୋଗୁ ତଳି ପଚିଯିବା ଭୟରେ ଖଜୁରୀପଡ଼ା ବ୍ଲକର ୫ଟି ପଞ୍ଚାୟତର ଚାଷୀମାନେ ଚିନ୍ତାରେ ଅଛନ୍ତି। ସ୍ଥାନୀୟ ଚାଷୀ ରାଜେନ୍ଦ୍ର ଦଳବେହେରା, ବିଜୟ ସାହୁ, ନିରାକାର କହଁରଙ୍କ ସମେତ ଅଞ୍ଚଳର ବହୁ ଚାଷୀ କେନାଲ ପାଣି ଛାଡ଼ିବା ପାଇଁ ଦାବି କରୁଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ମନରେ ଆଶାର ସଞ୍ଚାର ହୋଇଛି। ଯଦି ଏଥିରେ ପାଣି ଛାଡ଼ିବାରେ ଅନିୟମିତତା ହୁଏ ତେବେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି।