କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ ୱେବରେ ପ୍ରକାଶ ପାଇବା ପରେ କୁଆଁରମୁଣ୍ଡା ବ୍ଲକ ଓ ରାଜସ୍ବ ବିଭାଗ ତତ୍ପର ହୋଇଛି। ସଙ୍ଗେ ସଙ୍ଗେ ପ୍ରଭାବିତ ଉସ୍ରା ଗ୍ରାମକୁ ଯାଇ ସେଠାରେ କ୍ଷତିଗ୍ରସ୍ତ ୨୪ ଜଣଙ୍କୁ ପଲିଥିନ ପ୍ରଦାନ କରିଛନ୍ତି। ସେହିପରି ଖୁଖୁଣ୍ଡୁବାହାଲ ପଞ୍ଚାୟତର କର୍ଲାବୁଡ ଗ୍ରାମର ୧ ଜଣ ଓ କୁଆଁରମୁଣ୍ଡା ଚଇନପୁର ଗ୍ରାମର ୨ ଜଣଙ୍କୁ ମୋଟ ୨୭ ଜଣଙ୍କୁ ସୋମବାର ପଲିଥିନ ବଣ୍ଟନ କରାଯାଇଛି ବୋଲି କୁଆଁରମୁଣ୍ଡା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ପୁଣି ଯେଉଁମାନଙ୍କର ଘର ବର୍ଷାରେ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସିବ ତାଙ୍କୁ ମଧ୍ୟ ଆଗାମୀ ଦିନରେ ପଲିଥିନ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।


