କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ସାଇଁକୁଳ ଗ୍ରାମର ଅଭିଯୁକ୍ତ ପଙ୍କଜ ପଣ୍ଡା(୨୧ ବର୍ଷ)କୁ ରବିବାର ଗିରଫ କରିଛି । ମାମଲା ନଂ ୩୦୯/୨୦୨୬ ଅଟେ ।

ଅଭିଯୋଗ ଅନୁସାରେ ଗତ ଶନିବାର ଯୋଡ଼ା ବ୍ଲକର ‘ଧରିତ୍ରୀ ‘ ପ୍ରତିନିଧି ମାନସ ରଞ୍ଜନ ମହାନ୍ତି ଏକ ଚାରି ଚକିଆ ଯାନରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଅପରାହ୍ନ ପ୍ରାୟ ୫ଟା ସମୟରେ ରାମଚନ୍ଦ୍ରପୁର ଥାନା ଅଧୀନ ସୁଆଁପଦା ନିକଟରେ ଅଭିଯୁକ୍ତ ପଙ୍କଜଙ୍କ ଗାଡି ମାନସଙ୍କ ଗାଡିକୁ ଓଭରଟେକ କରିଥିଲା । ପରେ ମାନସ ଯେତେ ହର୍ନ ମାରିଥିଲେ ମଧ୍ୟ ପଙ୍କଜ ତାଙ୍କୁ ରାସ୍ତା ଛାଡ଼ିନଥିଲେ । ଶେଷରେ ପଙ୍କଜ ନିଜ ଗାଡ଼ିରୁ ଓହ୍ଲାଇ ମାନସଙ୍କ ଗାଡିକୁ ଅଟକାଇ ଖରାପ ଭାଷାରେ ଗାଳି ଗୁଲଜ କରିଥିଲା । ମାନସ ପ୍ରତିବାଦ କରିବାରୁ ବିଚ ରାସ୍ତାରେ ପଙ୍କଜ ତାଙ୍କ ସାର୍ଟ କଲରକୁ ଧରି ଘୋଷାରି ଥିଲେ ।

ଏଥିସହ ଆଖିବୁଜା ଆକ୍ରମଣ ମଧ୍ୟ କରିଥିଲେ । ଆକ୍ରମଣରେ ମାନସଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ମାନସଙ୍କୁ ମେଡିକାଲ ନେଇଥିଲେ । ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ ହୋଇଥିଲା । ଥାନାଧିକାରୀ ମନୋଜ ସ୍ୱାଇଁ କହିଛନ୍ତି ଅଭିଯୁକ୍ତ ପଙ୍କଜକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 

Dharitri – Odisha’s No.1 Odia Daily

Share