ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା । ଏହା ପରେ ପ୍ରଶାସନର ତତ୍ପରତା ପ୍ରକାଶ କରିଛି। ଦକ୍ଷିଣ ବନାଞ୍ଚଳ ରେଞ୍ଜର ତ୍ରିନାଥ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଏକାଦଶୀ ନାଏକ ଏବଂ ଅଗ୍ନିଶମ ବିଭାଗ ହାବିଲଦାର ବନମାଳୀ ପୂଝାରୀଙ୍କ ମିଳିତ ଟିମ୍ ଉନ୍ନତ ଯନ୍ତ୍ରପାତି ସହାୟତାରେ ରାସ୍ତା କଡ଼ରେ ଥିବା ଅତି ବିପଦପୂର୍ଣ୍ଣ ଶୁଖିଲା ଗଛକୁ କାଟି ସଫା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ସ୍ଥାନରେ ଦୁଇଟି ଶୁଖିଲା ଗଛ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଯେଉଁ ଗଛଟି ଅଧିକ ଜରାଜୀର୍ଣ୍ଣ ଓ ବିପଦଜନକ ଅବସ୍ଥାରେ ଥିଲା, ତାହାକୁ ପ୍ରଥମ ପର୍ଯ୍ୟାୟରେ କଟାଯାଇଛି । ଆଗାମୀ ଦିନରେ ସ୍ଥିତି ପରଖି ଦ୍ୱିତୀୟ ଗଛଟି ମଧ୍ୟ କଟାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଏହି ମରଣଯନ୍ତାକୁ ହଟାଯାଇଥିବାରୁ କାଠକୁରା ଓ ଥୁଆମୂଳ ରାମପୁର ଅଞ୍ଚଳବାସୀ ବନ ବିଭାଗ, ଅଗ୍ନିଶମ ବାହିନୀ ଏବଂ ‘ଧରିତ୍ରୀ’କୁ ସାଧୁବାଦ ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Share