ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ ଥିଲେ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବିଭାଗ ତତ୍ପର ହୋଇ ହିତାଧିକାରୀଙ୍କୁ ରାଶନ ଚାଉଳ ବଣ୍ଟନ କରିଛି।

ତେବେ ୫ ମାସର ବକେୟା ମଧ୍ୟରୁ ମାତ୍ର ୨ ମାସର ଚାଉଳ ଦିଆଯାଇଥିବାରୁ ବାକି ୩ ମାସର ପ୍ରାପ୍ୟକୁ ନେଇ ଅନିୟମିତତାର ଆଶଙ୍କା ପ୍ରକାଶ ପାଇଛି। ଅମରପାଲି ଗ୍ରାମର ଚୁମକି ସାହୁ, ଭାଲୁଡୁଙ୍ଗୁରୀ ଗ୍ରାମର ମନୀଷା ପଧାନ ଓ ସରୋଜିନୀ ସାହୁଙ୍କ ଭଳି ହିତାଧିକାରୀମାନେ ଗତ ଫେବୃଆରୀ ମାସରୁ କାର୍ଡ ପାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଚାଉଳ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ବୀରମହାରାଜପୁର ବ୍ଲକ ଯୋଗାଣ ଅଧିକାରୀ କ୍ଷୀରୋଦ ଧଳ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ହିତାଧିକାରୀଙ୍କ କାର୍ଡ ଇସ୍ୟୁ ହେବା ପୂର୍ବରୁ ସେହି ମାସଗୁଡ଼ିକର ଆଲୋଟମେଣ୍ଟ ସରିଥିବାରୁ କେବଳ ୨ ମାସର ଚାଉଳ ପ୍ରଦାନ କରାଯାଇଛି। ତଥାପି ବାକି ୩ ମାସର ଚାଉଳ ତୁରନ୍ତ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Share