ଧରିତ୍ରୀ ପ୍ରଭାବ: ୩ ଦିନ ପରେ ଖୋଲିଲା ତେଲିପାଲି ୟୁପି ସ୍କୁଲ

ଅମରପାଲି,୧୦।୧୧ (ପୀତାମ୍ବର ସାହୁ):ବୀରମହାରାଜପୁର ବ୍ଲକ ତେଲିପାଲି ୟୁପି ସ୍କୁଲ ୩ ଦିନ ଧରି ତାଲା ପଡ଼ିବା ପରେ ସୋମବାର ଖୋଲିଛି। ଜଣେ ନୂତନ ଶିକ୍ଷକ ନିଯୁକ୍ତି ସହ ଆସନ୍ତା ଏକ ମାସ ମଧ୍ୟରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଶିକ୍ଷା ବିଭାଗ ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଓ ଛାତ୍ରୀଛାତ୍ର ଧାରଣାରୁ ଓହରିଛନ୍ତି। ଫଳରେ ବିଦ୍ୟାଳୟରେ ପୁଣିଥରେ ପାଠପଢ଼ା ସ୍ବାଭାବିକ ହୋଇଛି। ଏ ସମ୍ପର୍କିତ ଖବର ଧରିତ୍ରୀରେ କ୍ରମାଗତ ଭାବେ ପ୍ରକାଶନ ଓ ଅଭିଭାବକଙ୍କ ଆନ୍ଦୋଳନ ପରେ ଶେଷରେ ଶିକ୍ଷା ବିଭାଗ ଚେତିଛି।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ବାଲବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ଶିକ୍ଷକ ଅଭାବ ଯୋଗୁ ଦୀର୍ଘଦିନ ଧରି ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ବିଦ୍ୟାଳୟରେ ୨ ଶିକ୍ଷକ ଥିଲେ। ସେଥିମଧ୍ୟରୁ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିବାରୁ ଅନ୍ୟ ଜଣେ ଶିକ୍ଷକ ଦେଖାଦେଇଥିଲା। ଏ ନେଇ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ବାରମ୍ବାର ଶିକ୍ଷା ବିଭାଗ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଗତ ଶୁକ୍ରବାର ଅଭିଭାବକ, ଛାତ୍ରୀଛାତ୍ର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଶନିବାର ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା। ସୋମବାର ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ଓ କର୍ଡାପାଲ କ୍ଲଷ୍ଟର ସିଆର୍‌ସିସି ପ୍ରହଲ୍ଲାଦ ମୁଖୀ ବିଦ୍ୟାଳୟରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ଆସନ୍ତା ଏକ ମାସ ମଧ୍ୟରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ।

 

Dharitri – Odisha’s No.1 Odia Daily

 

Share