ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁଣିଥରେ ପାଠପଢ଼ା ସ୍ବାଭାବିକ ହୋଇଛି। ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟରେ ତାଲା ପକାଇ ଅଭିଭାବକମାନେ ଦେଇଥିବା ଆନ୍ଦୋଳନ ସମ୍ପର୍କରେ ଧରିତ୍ରୀରେ କ୍ରମାଗତ ଖବର ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି। ଏହାପରେ ଅଭିଭାବକମାନେ ତାଲା ଖୋଲିବାକୁ ରାଜି ହୋଇଥିବାବେଳେ ଶୁକ୍ରବାରଠାରୁ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ହାତୀଲିମୁଣ୍ଡା ୟୁପି ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ବିଦ୍ୟାଳୟରେ ବାଲବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଜଣେ ମାତ୍ର ଶିକ୍ଷକ ବରୁଣ କଲତାଙ୍କ ଉପରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ଦାୟିତ୍ୱ ରହିଥିଲା। ପ୍ରଧାନଶିକ୍ଷକ ଭରତ ପ୍ରଧାନଙ୍କ ପଦୋନ୍ନତି ପରେ ଅନ୍ୟତ୍ର ବଦଳି ହେବାରୁ ବିଦ୍ୟାଳୟରେ ଏହି ସମସ୍ୟା ଉପୁଜିଥିଲା। ଏ ନେଇ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବିରେ ଗତ ୬ ତାରିଖରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ଦୀର୍ଘ ୨୪ ଦିନ ଧରି ବିଦ୍ୟାଳୟରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଏହି ସମସ୍ୟାକୁ ନେଇ ଧରିତ୍ରୀରେ ଗତ ୮ ତାରିଖରେ ‘ଶିକ୍ଷକ ଦାବିରେ ହାତୀଲିମୁଣ୍ଡା ୟୁପି ସ୍କୁଲରେ ତାଲା’ ଏବଂ ୧୭ ତାରିଖରେ ‘୧୧ ଦିନ ହେଲା ହାତୀଲିମୁଣ୍ଡା ୟୁପି ସ୍କୁଲରେ ତାଲା’ ଶୀର୍ଷକରେ ଦୁଇଟି ଖବର ପ୍ରକାଶ ପାଇଥିଲା। ଦ୍ୱିତୀୟ ଖବର ପ୍ରକାଶ ପରେ ଦଶହରା ଛୁଟି ଶେଷ ହୋଇ ସ୍କୁଲ ଖୋଲିବା ପରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ସ୍ଥାନୀୟ ସିଆର୍ସିସି କମ୍ଭୁଧର ପଧାନ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ, ଶୁକ୍ରବାର ଖଣ୍ଡହତା ୟୁପି ସ୍କୁଲର ଶିକ୍ଷୟିତ୍ରୀ କମଳିନୀ ସେଠୀଙ୍କୁ ହାତୀଲିମୁଣ୍ଡା ୟୁପି ସ୍କୁଲକୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି। ଏହାପରେ ଅଭିଭାବକମାନେ ଆନ୍ଦୋଳନରୁ ଓହରି ବିଦ୍ୟାଳୟ ଖୋଲିବାକୁ ସମ୍ମତି ଜଣାଇଥିଲେ। ନୂତନ ଭାବେ ଯୋଗଦେଇଥିବା ଶିକ୍ଷୟିତ୍ରୀ ସେଠୀଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ସମେତ ଅନ୍ୟ ସଭ୍ୟାସଭ୍ୟ, ଶିକ୍ଷକ ବରୁଣ କଲତା ଏବଂ ବହଳପଦର କ୍ଲଷ୍ଟର ସିଆର୍ସିସି ପ୍ରଧାନ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀଙ୍କ ଯୋଗଦାନ ପରେ ବିଦ୍ୟାଳୟରେ ଏବେ ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ଚାଲିଛି। ଦୀର୍ଘଦିନର ବନ୍ଦ ପରେ ବିଦ୍ୟାଳୟ ଖୋଲିଥିବାରୁ ଅଭିଭାବକ ଓ ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।