ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି ହୋମ, ପୂଜାର୍ଚ୍ଚନା କରିବା ସହ ଧାନମଣ୍ଡି ଶୁଭାରମ୍ଭ କରିଥିଲେ । ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର , ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଡିଆର୍ସିଏସ୍ ଯୋଗମାୟା ସାବତ , ଏଆରସିଏସ୍ ଦେବାଶିଷ ସ୍ବାଇଁ , ଏସିଏସଓ ଦେବସ୍ମିତା ମଲ୍ଲିକ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ, ସରପଞ୍ଚ ଗୌରୀ ବିଷୋୟୀ, ସମବାୟ ସଭାପତି ଶିବରାମ ପ୍ରଧାନ, ବ୍ଲକ ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟଅତିଥି ତଥା ବିଧାୟକ ଚାଷୀମାନେ ମଣ୍ଡିକୁ ଗୁଣାତ୍ମକ ଧାନ ଆଣିବାକୁ କହିଥିଲେ। ଏଥିସହ ଦାୟିତ୍ୱରେ ଥିବା ମିଲର ଏବଂ ସମବାୟ କର୍ମଚାରୀ ବୃନ୍ଦ ଚାଷୀ ମାନଙ୍କୁ ଧାନକ୍ରୟ ସମୟରେ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଫାସିଗୁଡା ସମବାୟ ସମିତିରେ ଚଳିତବର୍ଷ ଚାଷୀଙ୍କଠାରୁ ୯୧୯୧ କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ ରହିଥିବା ବେଳେ ମଙ୍ଗଳବାର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨୪୮ ଟୋକେନ ଜେନେରେଟ ହୋଇଥିବା ଜିଲାପାଳ କହିଥିଲେ। ପ୍ରଥମ ଦିନରେ ଚାଷୀଙ୍କଠାରୁ ୧୧୮ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବ୍ଲକ ଯୋଗାଣ ନିରୀକ୍ଷକ ସୂଚନା ଦେଇଥିଲେ। ଏହାପରେ ବିଧାୟକ କରପଡା ପଞ୍ଚାୟତ ଦେଖାଳି ସେବା ସମବାୟ ସମିତିର ନୂତନ ଗୃହର ଉଦଘାଟନ ଏବଂ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ,କ୍ଷେତ୍ର ଅଧିକାରୀ ଚାନ୍ଦିନୀ ସେଠୀ, ସମବାୟ ସଭାପତି ଚୁଡ଼ାମଣି ପ୍ରଧାନ, ସମ୍ପାଦକ ଅଶୋକ କୁମାର ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।


