ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଆସିଲେ ଭାବି ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ଜୀବନ ସାଥୀ ବାଛି ସାରିଛନ୍ତି। ଭାରତର ଜଣାଶୁଣା ୟୁଟ୍ୟୁବ ଷ୍ଟାର୍‌ ତଥା କୋରିୟଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ଚହଲ। ଗତ ଅଗଷ୍ଟ ୮ରେ ଚହଲ ଓ ଧନଶ୍ରୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇସାରିଛି। ନିର୍ବନ୍ଧ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଚହଲ ତାଙ୍କ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ। ନିର୍ବନ୍ଧ ପରେ ଏହି ଯୋଡ଼ି ପ୍ରଥମ ଥର ଲାଗି ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳିଛନ୍ତି। ଭାବି ସ୍ବାମୀ ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଧନଶ୍ରୀ ମଙ୍ଗଳବାର ମୁମ୍ବାଇ ବିମାନ ବନ୍ଦର ଆସିଥିଲେ। ଚହଲଙ୍କୁ ବିମାନ ବନ୍ଦରରେ ଛାଡ଼ିବା ପରେ ଧନଶ୍ରୀ କାର୍‌ ନେଇ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।


ପ୍ରକାଶଯୋଗ୍ୟ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ସେପ୍ଟମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। କିଛିଦିନ ମଧ୍ୟରେ ଆଇପିଏଲ୍‌ର ସମସ୍ତ ଦଳ ୟୁଏଇ ଅଭିମୁଖେ ପର୍ଯ୍ୟାୟକ୍ରମେ ଗସ୍ତ କରିବେ। ଆଇପିଏଲ୍‌ ପୂର୍ବରୁ ଚହଲ ନିଜ ପ୍ରଶଂସକଙ୍କୁ ଖୁସି ଖବର ଭେଟି ଦେଇଥିଲେ। ଆଇପିଏଲ୍‌ରେ ଚହଲ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ଖେଳୁଛନ୍ତି। ସେ ଆଇପିଏଲ୍‌ରେ ୮୩ ମ୍ୟାଚ୍‌ ଖେଳି ୧୦୦ ଉଇକେଟ୍‌ ଅକ୍ତିଆର କରିଛନ୍ତି।

Share