ଆଜି ଆସିବ ଧାମନଗର ଭୋଟ ଫଳାଫଳ

ଭୁବନେଶ୍ୱର, ୬।୧୧(ବ୍ୟୁରୋ)/ଭଦ୍ରକ ଅଫିସ୍‌: ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ। ସକାଳ ୮ଟା ୩୦ ମିନିଟରେ ଇଭିଏମ୍‌ ଭୋଟଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି। ଇଭିଏମ୍‌ ଭୋଟଗଣନା ପାଇଁ ସମୁଦାୟ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲଟ ଗଣତି ପାଇଁ ରିଟର୍ନିଂ ଅଧିକାରୀଙ୍କ ପାଖରେ ଆଉ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି ୨୫୨ଟି ବୁଥ୍‌ରୁ ଫେରିଥିବା ଇଭିଏମ୍‌ ଭୋଟଗୁଡ଼ିକୁ ସମୁଦାୟ ୧୮ଟି ରାଉଣ୍ଡରେ ଗଣତି କରାଯିବ। ଶେଷରେ ଭିଭିପାଟ୍‌ ସ୍ଲିପ୍‌ଗୁଡ଼ିକୁ ଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ତତ୍ତ୍ବାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯିବ। ପ୍ରତ୍ୟେକ କାଉଣ୍ଟିଂ ଟେବୁଲ୍‌ ପାଇଁ ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ନିଯୁକ୍ତ ହୋଇଛନ୍ତି। ଏହାଛଡ଼ା ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମାଇକ୍ରୋ ଅବଜରଭର ଭାବେ ନିଯୁକ୍ତ କରାଯାଇଛି। ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଭୋଟଗଣନା କେନ୍ଦ୍ରଠାରେ ଫଳାଫଳ ଜାଣିବା ନିମନ୍ତେ ମାଇକ ଦ୍ୱାରା ପ୍ରଚାର କରାଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଫଳାଫଳ results.eci.nic.in ୱେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ।