ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଘଟଣାରୁ ପ୍ରକାଶ ଯେ, ଅପରାହ୍ନ ୩ଟାରେ ବାଲେଶ୍ୱର ଜିଲା ନଗରପାଟଣା ଗ୍ରାମର କାଳିଆ ରାଉତ ଏବଂ ତାଙ୍କ ୩ ସହଯୋଗୀ ଢାବାକୁ ଖାଇବାକୁ ଆସି ମଦ ମାଗିଥିଲେ । ଢାବା ମାଲିକ ମନା କରିବାରୁ ମଦ କାଉଣ୍ଟରୁ ସେମାନେ ମଦ ଆଣି ଢ଼ାବାରେ ବସି ଖାଉଥିଲେ। ସେତିକିବେଳେ ବୈଶିଙ୍ଗା ଥାନା ପୋଲିସର ପାଟ୍ରୋଲିଂ ଟିମ୍ର ନଜର ପଡିବାରୁ ସେମାନେ ଦୌଡି ଫେରାର ହୋଇଯାଇଥିଲେ। ହେଲେ ପୋଲିସ ଦୁର୍ବୃତ୍ତମାନଙ୍କ ବାଇକ ଜବତ କରି ଥାନାକୁ ଆଣିଥିଲା।
ଏଭଳିସ୍ଥିତିରେ ଦୁର୍ବୃତ୍ତମାନେ ପୁଣି ରାତି ପ୍ରାୟ ୮ଟା ଢାବାରେ ପହଞ୍ଚି ବାଇକ୍ ମାଗିଥିଲେ । ଢାବା ମ୍ୟାନେଜ ବାଇକକୁ ପୋଲିସ ନେଇଯାଇଥିବା କହିଥିଲେ। ଏଥିରେ ଦୁର୍ବୃତ୍ତମାନେ ରାଗିଯାଇ ମ୍ୟାନେଜଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଢ଼ାବା ମ୍ୟାନେଜ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଥାନା ଅନ୍ତର୍ଗତ ବେଲତୋଳା ଗ୍ରାମର ତାରାପଦ ମଦକଙ୍କ ପୁଅ ଗୋପାଲ ମଦକ(୪୫) ଗୁରୁତର ଆହତ ହୋଇଛନ୍ତି।
ଏନେଇ ଅନ୍ୟ କର୍ମଚାରୀମାନେ ମାଲିକଙ୍କୁ ଫୋନ କରି ଡାକିଥିଲେ। ମାଲିକ ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା କରିବା ପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରବର୍ତ୍ତି ସମୟରେ ଆହତଙ୍କୁ ବାଲେଶ୍ୱର ନିଆଯାଇଥିବା ସୂଚନା ମିଳିଛି। ଏ ନେଇ ପୋଲିସ ଏକ ମାମଲା(ନଂ.୪୬୬/୨୬)ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ବାବାଶଙ୍କର ସରାଫ ପ୍ରକାଶ କରିଛନ୍ତି।