ମାଲକାନଗିରିରେ ଡିଜିପି: ମାଓବାଦୀ ଦମନ ନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି,୧୩।୧୦(ଡି.ଏନ୍‌.ଏ.): ଡିଜିପି ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମଧ୍ୟ ପହଞ୍ଚିଛନ୍ତି। ତେବେ ଶୁକ୍ରବାର ଜିଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ ହୋଇଥିଲା। ପୋଲିସର ଏନ୍‌କାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀମାନେ ହେଲେ ଏରିଆ କମିଟି ସେକ୍ରେଟାରି ଅନିଲ ଅଲିୟାସ ଓରଫ(ମୁକା) ସୋଡି। ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅନ୍ୟଜଣେ ଏରିଆ କମିଟି ମେମ୍ବର ସୋନି ତାଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଆଉ ଜଣେ ହେଉଛନ୍ତି ଚିନା ରାଓ ଯାହାଙ୍କ ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମୋଟ ଏହି ମାଓବାଦୀଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଇନାମ ଘୋଷଣା କରା ଯାଇଥିଲା। ଘଟଣାସ୍ଥଳରୁ ପୋଲିସ ଏସ୍‌ଏଲ୍‌ଆର କାରବାଇନ ଭଳି ଦୁଇଟି ବନ୍ଧୁକ , ଔଷଧ, ବ୍ୟବହୃତ ପୋଷାକ, ପୁସ୍ତିକା, ବିସ୍ଫୋରକ ସହ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ବର୍ତ୍ତମାନ ମଧ୍ୟ ସେହି ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା ପୋଲିସ ଡିଜି କହିଛନ୍ତି। ଯେଉଁ ମାଓବାଦୀମାନେ ବର୍ତ୍ତମାନ ମଧ୍ୟ ହିଂସାରେ ସାମିଲ ଅଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି । ଏଥି ସହ ଡିଜିପି ମାଲକାନଗିରିରେ ପହଞ୍ଚି ପ୍ରଥମେ ଅପରେଶନରେ ଯାଇଥିବା ଏସ୍‌ଓଜି ଏବଂ ଡିଭିଏଫ୍‌ ଜବାନଙ୍କ ସହ ଆଲୋଚନା କରି ସେମାନଙ୍କୁ ପ୍ରଶଂସା କରିଥିଲେ। ପରେ ମାଲକାନଗିରି ଏସ୍‌ପି ଏବଂ ବିଏସ୍‌ଏଫ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ମାଓବାଦୀ ଦମନ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ସୂଚନା ମିଳିଛି।