ବଣ୍ଡାଘାଟିରେ ଡିଜିପି ଅଭୟ

ମାଲକାନଗିରି/ଗୋବିନ୍ଦପାଲି, ରାୟଗଡା ଅଫିସ,୭।୩: ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଦୁର୍ଗମ ଅଞ୍ଚଳ ତଥା ମାଓବାଦୀ ଅଧ୍ୟୁଷିତ ବଣ୍ତାଘାଟିକୁ ରବିବାର ଡିଜିପି ଅଭୟ ଗସ୍ତ କରିଥିଲେ। ବଣ୍ତାଘାଟିରେ କିଛିଦିନ ତଳେ ପ୍ରତିଷ୍ଠା ହୋଇଥିବା ୨ ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ କରି ସେ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କରିଛନ୍ତି । ବିଏସ୍‌ଏଫ୍‌ ପକ୍ଷରୁ ଆୟୋଜିତ ଜନସମ୍ପର୍କ ଶିବିରରେ ଯୋଗଦେଇ ଡିଜିପି ବଣ୍ତାଘାଟିର ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ। ବିଗତ ଦିନରେ ଲାଲ କରିଡର ରୂପେ ପରିଚିତ ବଣ୍ତାଘାଟି ଥିଲା ଅପହଞ୍ଚ ଅଞ୍ଚଳ। ୨ଟି ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓବାଦୀଙ୍କୁ ଜୋରଦାର ଝଟକା ଲାଗିଛି ବୋଲି ସେ କହିଥିଲେ। ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର ଅଧିକାର ରହଛି। ବଣ୍ତା ଜନଜାତିଙ୍କ ବିକାଶ ତରାନ୍ବିତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ସେମାନଙ୍କ ଉନ୍ନତି ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ବିକାଶରେ ବାଧକ ନ ସାଜି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଅଭୟ ମାଓବାଦୀଙ୍କୁ ଆହ୍ବାନ ଦେଇଥିଲେ। ହିଂସା ଛାଡ଼ିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ସେ କହଥିଲେ। ଡିଜିପି ଅଭୟଙ୍କୁ ଦେଖି ଅଞ୍ଚଳବାସୀ ଉତ୍ସାହିତ ହୋଇପଡିଥିଲେ। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଡିଜିପି ବଣ୍ତାଘାଟିରେ ପହଞ୍ଚତ୍ବା ପରେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ମହିଳାପୁରୁଷମାନେ ବାଜା ବଜାଇ ତାଙ୍କୁ ସ୍ବାଗତ କରି ମୁଦୁଲିପଡା ବିଏସ୍‌ଏଫ୍‌ କ୍ୟାମ୍ପକୁ ପାଛୋଟି ନେଇଥିଲେ।
ଏହି ଅବସରରେ ଡିଜିପି କ୍ୟାମ୍ପରେ ମହିଳାଙ୍କୁ ଶାଢି, କମ୍ବଳ ଏବଂ ଯୁବକମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ। ପରେ ଅଧିକାରୀଙ୍କ ସହିତ ମାଓବାଦୀ ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ମାଓବାଦୀ ମୁକାବିଲା ନେଇ ସ୍ବତନ୍ତ୍ର ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ. ଶର୍ମା, ଏସଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ, ଆଇଜି ଅପରେଶନ ଅମିତାଭ ଠାକୁର, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତଙ୍କ ସମେତ ବିଏସ୍‌ଏଫର ଅଧିକାରୀମାନେ ଉପସ୍ଥିତ ଥିଲେ।