ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା କରିଛି। ଦୀର୍ଘ ୩ ଘଣ୍ଟା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଛି। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଡିଏଫ୍‌ଓ ଏଡ଼ାଇ ଯାଇଥିବା ବେଳେ କେତେକ ପ୍ରଶ୍ନର ଉତ୍ତର ରଖିଛନ୍ତି। ଆବଶ୍ୟକସ୍ଥଳେ ତାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ବେହେରାଙ୍କୁ ଗୁଡ଼ାଇତୁଡ଼ାଇ ବିଭିନ୍ନ ପ୍ରଶ୍ନ କରିଥିଲା। ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ବିଷୟରେ ତାଙ୍କୁ ପଚରାଉଚୁରା କରାଯାଇଥିଲା। ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନ ଥିବା ଡିଏଫ୍‌ଓ କହିଛନ୍ତି। ସେହିପରି ସୌମ୍ୟଙ୍କୁ ମାନସିକ ଚାପ ଦିଆଯାଇଥିବା ଓ ଜାଣିଶୁଣି ରାତି ଡ୍ୟୁଟି ପକାଯାଉଥିବା ନେଇ ଯେଉଁ ଅଭିଯୋଗ ଆସିଥିଲା ତାହାକୁ ମଧ୍ୟ ଡିଏଫ୍‌ଓ ଅସ୍ବୀକାର କରିଛନ୍ତି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସୌମ୍ୟଙ୍କ ଜମାନବନ୍ଦୀ ନେବା ବେଳେ ଡିଏଫ୍‌ଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ବୀକାର କରିଥିଲେ ସୁଦ୍ଧା ସେଥିରେ କ’ଣ ସବୁ ଲେଖାଯାଇଥିଲା ସେ ସମ୍ପର୍କରେ ଜାଣିନାହାନ୍ତି ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ମିଶ୍ର କହିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତରେ ଡିଏଫ୍‌ଓ ଅସହଯୋଗ କରୁଛନ୍ତି। ବିଦ୍ୟାଭାରତୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କୁ ଏଯାଏ ପଚରାଉଚୁରା କରାଯାଇନାହିଁ। ସେମାନଙ୍କୁ ପଚରାଉଚରା କରି ସବୁ କଥାକୁ ତର୍ଜମା କଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମିଶ୍ର କହିଛନ୍ତି।