ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପାଟଣା ମୁଖ୍ୟାଳୟ ପରମେଶ୍ବର ଶିବମନ୍ଦିର ସନ୍ନିକଟ ବୈତରଣୀ ନଦୀର ଅନୂସୟା ଘାଟରେ ବୁଡ ପକାଇ ପୂଜାର୍ଚ୍ଚନା କରିଥିଲେ । କାଉଡ଼ିଆମାନେ ସ୍ଥାନୀୟ ପରମେଶ୍ବର, ଆନନ୍ଦେଶ୍ୱର ଓ ସ୍ବାମ ଶାସନ ସ୍ଥିତ ସୋମେଶ୍ୱର ମହଦେବ ମନ୍ଦିରରେ ଜଳ ଲାଗି କରିଛନ୍ତି । ଶ୍ରାବଣ ସୋମବାର ପାଇଁ ଶୈବପୀଠ ଗୁଡ଼ିକରେ ଭକ୍ତମାନଙ୍କ ଗହଳି ଲାଗିଥିଲା।

ବୋଡି ଭୋରରୁ ପାଟଣା ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀର ଅନୁସୟା ଘାଟରେ ଶ୍ରଦ୍ଧାଳୁମାନେବୁଡ଼ ପକାଇ ପୂଜାର୍ଚ୍ଚନା କରି ପବିତ୍ର ଜଳ ସଂଗ୍ରହ କରିଥିଲେ। ପରେ କାନ୍ଧରେ ବାହୁଙ୍ଗି ବୋହି ‘ବୋଲ ବମ୍’, ‘ହର ହର ବମ୍’ ଧ୍ୱନିରେ ପରିବେଶକୁ ମୁଖରିତ କରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିଲେ। ବୋଲ୍ ବମ ଧ୍ଵନୀ ଅନୁସୟା ଘାଟ ପ୍ରକମ୍ପିତ ହୋଇଉଠିଥିଲା।
ଶ୍ରଦ୍ଧାଳୁମାନେ ମାଇଲ ମାଇଲ ବାଟ ପାଦରେ ଚାଲି ପରମେଶ୍ୱର ଓ ଆନନ୍ଦେ ଶ୍ୱର ଶିବ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କ ନିକଟରେ ଜଳାଭିଷେକ କରିଥିଲେ। ଶ୍ରାବଣ ସୋମବାର ଉପଲକ୍ଷେ ସମଗ୍ର ପାଟଣା ଅଞ୍ଚଳ ଭକ୍ତି, ଆଧ୍ୟାତ୍ମିକତା ଓ ଶିବଭକ୍ତଙ୍କ ଉତ୍ସାହରେ ଉତ୍ସବମୁଖର ହୋଇଉଠିଥିଲ।

 

Dharitri – Odisha’s No.1 Odia Daily