ନୂଆଦିଲ୍ଲୀ, ୩।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଆଉ ଏକ ବଡ଼ ଝଟକା। ଦଳର ଷ୍ଟାର୍ ବ୍ୟାଟର ଡେଭନ କନୱେ ପ୍ରଥମ ଦିନିକିଆରୁ ବାଦ ପଡ଼ିଛନ୍ତି। ମ୍ୟାଚ ପୂର୍ବରୁ ଫିଲ୍ଡିଂ ଅଭ୍ୟାସ କରୁଥିବା ସମୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ନଭେମ୍ବର ୪, ବୁଧବାର ଦିନ ଅକଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ରବିବାର ମାର୍କ ଚାପମ୍ୟାନ ଓ ରଚିନ ରବୀନ୍ଦ୍ର ମଧ୍ୟ ଦିନିକିଆ ସିରିଜରୁ ବାଦ ପଡ଼ିଥିଲେ। ଏହି ଦୁଇ ଖେଳାଳିଙ୍କ ବଦଳ ଖେଳାଳିଙ୍କ ନାମ ନ୍ୟୁଜିଲାଣ୍ଡ ଟିମ ଘୋଷଣା କରିସାରିଛି।
ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇଡେନ ପାର୍କରେ ଅଭ୍ୟାସ ସମୟରେ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବା ବେଳେ ଡେଭନ କନୱେ ଓ ମ୍ୟାଟ ହେନରୀ ପରସ୍ପର ସହ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ କନୱେଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।
ବର୍ତ୍ତମାନ ସେ କେବଳ ପ୍ରଥମ ଦିନିକିଆରୁ ବାଦ ପଡ଼ିଛନ୍ତି। ତେବେ ଦ୍ୱିତୀୟ ମ୍ୟାଚ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଖେଳିବାକୁ ଫିଟ ହେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସିରିଜ ଆରମ୍ଭ ପୂର୍ବରୁ ଲଗାତାର ଖେଳାଳି ଆହତ ହେବା ନ୍ୟୁଜିଲାଣ୍ଡ ଦଳ ପାଇଁ ଚିନ୍ତା ବଢ଼ାଇଛି।