‘ସମସ୍ତଙ୍କ ସହଯୋଗରେ ବିକାଶ ସମ୍ଭବ’

ଢେଙ୍କାନାଳ ଅଫିସ,୧୨।୩ ଢେଙ୍କାନାଳ ଜିଲାରେ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ସୋମବାର ଜିଲା କାର୍ଯ୍ୟାଳୟ ଓସ୍‌ୱାନ୍‌ ଭିଡିଓ କନଫରେନ୍ସିଂ ହଲ୍‌ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଯୋଗଦେଇ ସମସ୍ତଙ୍କ ସହଯୋଗରେ ଜିଲାର ସାମଗ୍ରିକ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଏ ଦିଗରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିଜ ନିଜ ଅଞ୍ଚଳର ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ଓ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ ଜିଲାପାଳ ସରୋଜ କୁମାର ସେଠୀ କାମାକ୍ଷାନଗର, ଭୁବନ, କଙ୍କଡାହାଡ ଓ ପରଜଙ୍ଗ ବ୍ଲକର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଜିଲାରେ ଅସମ୍ପୂର୍ଣ୍ଣ ରହିଯାଇଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷକରିବାକୁ ପରାମର୍ଶ ଦେଇଥିଲେ। ଜିଲାର ସମସ୍ତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ୪୬ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସେମାନଙ୍କ ସହିତ ସମନ୍ବୟ ରକ୍ଷା କରି ଯୋଜନା ପ୍ରସ୍ତୁତି ଓ ସଫଳ ରୂପାୟନ ଦିଗରେ ଧ୍ୟାନ ଦେବାକୁ କହିଥିଲେ। ଚଳିତବର୍ଷ ଶେଷ ସୁଦ୍ଧା ଜିଲାର ସମସ୍ତ ଘରକୁ ପାଇପ୍‌ ପାନୀୟଜଳ ଯୋଗାଣ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସହଯୋଗ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ରେଭିନ୍ୟୁ ରେଷ୍ଟହାଉସ, ବସ୍‌ଷ୍ଟାଣ୍ଡ, ଗ୍ରାମ୍ୟରାସ୍ତା ଓ ରୁରାଲ ପାର୍କ ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଥିଲେ। ଗର୍ଭବତୀ ଓ ଶିଶୁମାନଙ୍କ ଅପପୁଷ୍ଟି ରୋକିବା, ଜଳକ୍ଲିଷ୍ଟ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା ସହିତ ଆବଶ୍ୟକସ୍ଥଳେ ଜଳଛତ୍ର ଖୋଲିବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ, ଜିଲା ଗ୍ରାମ୍ୟ ଜଳଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ବିଡିଓ, ତହସିଲଦାର ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲାର ସମସ୍ତ ଚିକିତ୍ସାଳୟ କର୍ମକର୍ତ୍ତା ଯୋଗ ଦେଇଥିଲେ।