ବିନାଶକାରୀ ଭୂମିକମ୍ପ

ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧। ଏହି ବିନାଶକାରୀ ଭୂମିକମ୍ପରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଧନସମ୍ପତ୍ତିର ବିପୁଳ କ୍ଷୟକ୍ଷତି ଘଟିଛି। ଏହା ଭୂକମ୍ପ କେନ୍ଦ୍ରଠାରୁ ପ୍ରାୟ ୫୦୦ କି.ମି. ବ୍ୟାପ୍ତି ପରିସୀମା ଅଞ୍ଚଳ ମଧ୍ୟରେ ଅନୁଭୂତ ହୋଇଥିଲା, ଫଳରେ ଏହାର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଓ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା।
ରିକ୍ଟର ସ୍କେଲ୍‌ କ’ଣ : ଭୂମିକମ୍ପର ତୀବ୍ରତାକୁ ‘ରିକ୍ଟର୍‌ ସ୍କେଲ୍‌’ ଏକକରେ ମପାଯାଏ। ଏହି ସ୍କେଲରେ ୪ ଅଙ୍କରୁ ଊର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନାଶକାରୀ ହୋଇଥାଏ। ଭୂମିକମ୍ପର ତୀବ୍ରତା ୪ ରୁ ୪.୯ ଅଙ୍କ ମଧ୍ୟରେ ରହିଲେ ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍‌ ତଳେ ଖସି ପଡ଼ିପାରେ। ଭୂମିକମ୍ପର ତୀବ୍ରତା ୫ ରୁ ୫.୯ ଅଙ୍କ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ହଲି ଯାଇପାରେ। ଭୂମିକମ୍ପର ତୀବ୍ରତା ୬ ରୁ ୬.୯ ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ନିଅଁ ହଲିଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ। ଭୂମିକମ୍ପର ତୀବ୍ରତା ୭ରୁ ୭.୯ ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିପାରେ ଏବଂ ଭୂତଳ ପାଣି ପାଇପ୍‌ ଫାଟି ଯାଇପାରେ। ଭୂମିକମ୍ପର ତୀବ୍ରତା ୮ରୁ ୮.୯ ଅଙ୍କ ମଧ୍ୟରେ ରହିଲେ ବଡ଼ ବଡ଼ ପୋଲ ମଧ୍ୟ ଭାଙ୍ଗିଯାଇପାରେ। ଭୂମିକମ୍ପର ତୀବ୍ରତା ୯.୦ ଅଙ୍କରୁ ଅଧିକ ହେଲେ ସମସ୍ତ ନିର୍ମାଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡା ହେଲେ ଭୂମିରେ ସମୁଦ୍ର ଭଳି ଲହଡିମାନ ତରଙ୍ଗାୟିତ ହେଉଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡିମାନ ସଷ୍ଟି ହୋଇ ସ୍ଥଳଭାଗରେ ପ୍ରଳୟ ରଚନା କରେ।
ବିଶ୍ୱର ପ୍ରଳୟଙ୍କରୀ ଭୂମିକମ୍ପ : ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଭୂମିକମ୍ପ ଅନୁଭୂତ ହୋଇଥାଏ। ଏଥିମଧ୍ୟରୁ ଆମେ କେବଳ ୧ ଲକ୍ଷ ଭୂମିକମ୍ପକୁ ଅନୁଭବ କରିପାରୁ। ପ୍ରାୟ ୧୦୦ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୧୯୬୦ ମସିହାରେ ଚିଲିରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲ ୯.୫। ଏଥିରେ ପ୍ରାୟ ୬୦୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା। ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ ୧୯୩୪ ମସିହାରେ ବିହାର ରାଜ୍ୟରେ ଅନୁଭୂତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୦, ୦୦୦ ଲୋକ ମତ୍ୟୁମୁଖରେ ପଡିଥିଲେ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲ ୮.୧। ଗତ ୧୮୧୧ ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ ମିସିସିପି ନଦୀ ଓଲଟା ବହିବାକୁ ଲାଗିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ ହିମସ୍ଖଳନ ୧୯୭୦ ମସିହାରେ ପେରୁରେ ଦେଖାଯାଇଥିଲା ଯାହା ଘଣ୍ଟା ପ୍ରତି ୪୦୦ କି.ମି. ଭଳି ଦୂରନ୍ତ ବେଗରେ ଗତି କରିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ଭୟଙ୍କର ହିମସ୍ଖଳନ ୧୯୨୦ ମସିହାରେ ଚାଇନାର କାଂସୁ ପ୍ରଦେଶରେ ଘଟିଥିଲା, ଯେଉଁଥିରେ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଗତ ୨୦୦୪ ଡିସେମ୍ବର ୨୬ରେ ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଘଟିଥିବା ଭୂମିକମ୍ପରେ ପ୍ରଳୟଙ୍କରୀ ସୁନାମିର ଲହଡିମାନ ସୃଷ୍ଟି ହୋଇଥିଲା,ଯେଉଁଥିରେ ପ୍ରାୟ ୨.୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଭୂମିକମ୍ପର ଝଟକା ସର୍ବାଧିକ ୧୦ ମିନିଟ୍‌ ଧରି ଅନୁଭୂତ ହୋଇଥିଲା।
ଭୂମିକମ୍ପର କାରଣ: ଆମର ପୃଥିବୀପଷ୍ଠ ଅନେକ ସୁଦୃଢ଼ ପ୍ଲେଟ୍‌ ଉପରେ ପର୍ଯ୍ୟବସିତ ଯାହାକୁ ‘ଟେକଟୋନିକ ପ୍ଲେଟ୍‌’ କୁହାଯାଏ। ଏହି ପ୍ଲେଟ୍‌ଗୁଡିକ ସଦାସର୍ବଦା ଗତିଶୀଳ। ଅବଶ୍ୟ ଏହି ପ୍ଲେଟଗୁଡିକର ଗତି ଅତି ସ୍ବଳ୍ପ ଏବଂ ବର୍ଷକୁ ମାତ୍ର ୪ ସେ.ମି. ଗତି କରିଥାଏ। ଏହି ଚଳନ ଯୋଗୁ ବେଳେବେଳେ ପ୍ଲେଟ୍‌ଗୁଡିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ପ୍ରଚଣ୍ଡ ପାର୍ଶ୍ୱଚାପ ପ୍ରୟୋଗ କରେ। ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ଚଢିଯାଏ। ଏହି ଅଞ୍ଚଳରେ ହିଁ ପୃଥିବୀପୃଷ୍ଠ ଦୋହଲି ଉଠି ଭୂମିକମ୍ପ ସୃଷ୍ଟି ହୁଏ। ସୁତରାଂ ପ୍ଲେଟ୍‌ଗୁଡିକର ପ୍ରାନ୍ତ ଭାଗ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ।
ହିମାଳୟ ଅଞ୍ଚଳରେ କାହିଁକି ପ୍ରଳୟଙ୍କରୀ ଭୂମିକମ୍ପମାନ ସୃଷ୍ଟି ହୁଏ : ପ୍ରାୟ ୪ କୋଟି ବର୍ଷ ପୂର୍ବେ ଭାରତୀୟ ଉପମହାଦେଶ ପ୍ଲେଟ୍‌ ୟୁରେସିଆ ପ୍ଲେଟ୍‌ ସହିତ ଧକ୍କା ଖାଇଥିଲା। ଏହାଦ୍ୱାରା ପ୍ଲେଟ୍‌ର ପ୍ରାନ୍ତ ଭାଗରେ ପ୍ରଚଣ୍ଡ ଚାପ ସୃଷ୍ଟି ହୋଇ ହିମାଳୟ ଭଳି ଭଙ୍ଗିଳ ପର୍ବତମାଳା ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ହିମାଳୟ ପର୍ବତର ଉଚ୍ଚତା ପ୍ରତି ବର୍ଷ ୧ ସେ.ମି. ବୃଦ୍ଧି ପାଉଛି। ଆହୁରି ମଧ୍ୟ, ପ୍ଲେଟ୍‌ ପ୍ଲେଟ୍‌ ମଧ୍ୟରେ ବାରମ୍ବାର ସଂଘର୍ଷ କାରଣରୁ ପ୍ଲେଟ୍‌ର ଚାପ ସହନ କରିବାର ସାମର୍ଥ୍ୟ ଦୁର୍ବଳ ହୋଇଯାଏ। ଏହା ଦ୍ୱାରା ପ୍ଲେଟ୍‌ ର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇ ତଳେ ଗଚ୍ଛିତ ବିପୁଳ ଶକ୍ତି ଭୂମିକମ୍ପ ରୂପରେ ପଦାକୁ ନିର୍ଗତ ହୋଇଥାଏ। ଏହି କାରଣରୁ ସମଗ୍ର ହିମାଳୟ କ୍ଷେତ୍ରରେ ଅଧିକ ଭୂମିକମ୍ପ ଆସିଥାଏ ଏବଂ ଆଫଗାନିସ୍ତାନ, ପାକିସ୍ତାନ ତଥା ଉତ୍ତର ଭାରତର କିଛି ଅଂଶ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ।
ବନ୍ୟା ବାତ୍ୟା ଭଳି ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ଠିକ୍‌ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ। କେତେକ ଜୀବଜନ୍ତୁ ନିଜର ବିଚିତ୍ର ଆଚରଣ ଜରିଆରେ ଭୂମିକମ୍ପର ପୂର୍ବସୂଚନା ଦେଇଥାନ୍ତି। ହାତୀମାନେ ନିଜର ବିଶାଳ କାନ ଦ୍ୱାରା ପୃଥିବୀ ଅଭ୍ୟନ୍ତରସ୍ଥ ପ୍ଲେଟ୍‌ଗୁଡିକର ପରସ୍ପର ମଧ୍ୟରେ ଘଷି ହେବାର ସ୍ବଳ୍ପ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଧ୍ୱନି ଶୁଣିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଭୂମିକମ୍ପ ସହନଶୀଳ ଗୃହ ନିର୍ମାଣ, ତ୍ୱରାନ୍ବିତ ଉଦ୍ଧାରକାର୍ଯ୍ୟ ଏବଂ ସତର୍କ ରହିବା ହିଁ ଭୂମିକମ୍ପ ମୁକାବିଲର ଏକମାତ୍ର ସଫଳ ଉପାୟ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri