ନଷ୍ଟ ହେଉଛି ଡୋଜ୍‌: ସରକାର ଜାରି କଲେ ସଚେତନତା ପୋଷ୍ଟର

ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହାଯୋଗୁ ଡୋଜ୍‌ ନଷ୍ଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଗୁରୁବାର ଟିକା ନେବା ସମ୍ପର୍କିତ ସଚେତନତା ପୋଷ୍ଟର ଜାରି କରିଛନ୍ତି। କିଭଳି ଅଧିକ ଲୋକ ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବେ ସେନେଇ ପୋଷ୍ଟରରେ ସଚେତନତା ବାର୍ତ୍ତା ରହିଛି। ଟିକାର ଗୋଟିଏ ଛୋଟ ଶିଶିରେ ୧୦ ଜଣଙ୍କ ପାଇଁ ଡୋଜ୍‌ ରହିଥାଏ। ତେବେ ଶିଶି ଖୋଲା ଯିବା ପରେ ଏଥିରେ ଥିବା ଡୋଜ୍‌ ଶୀଘ୍ର ସରିବା ଆବଶ୍ୟକ। ଏହାର ପ୍ରଭାବ ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ପରେ ଏହା ଖରାପ ହୋଇଯିବାର ଆଶଙ୍କା ରହିଥାଏ। ମାତ୍ର ଟିକା ନେବାକୁ ଲୋକେ ଅମଙ୍ଗ ହେଉଥିବାରୁ ବହୁ ପରିମାଣର ଡୋଜ୍‌ ନଷ୍ଟ ହେଉଥିବା କୁହାଯାଉଛି। ପଞ୍ଜିକରଣ ତୁଳନାରେ କମ୍‌ ସଂଖ୍ୟକ ଲୋକ ଟିକା ନେବାକୁ ଆସୁଥିବାର ଶିଶିରେ ଥିବା ଡୋଜ୍‌ ନଷ୍ଟ ହେଉଛି। ଟିକା କେନ୍ଦ୍ରକୁ ୫୫ ପ୍ରତିଶତ ଲୋକ ଆସୁଥିବାବେଳେ ଅନ୍ୟ ପଞ୍ଜିକରଣକାରୀ ଆସୁ ନାହାନ୍ତି। ପ୍ରତି କେନ୍ଦ୍ରରେ ଦିନ ପିଛା ୧୦୦ ଜଣଙ୍କୁ ଟିକାଦାନ ଲାଗି ଡକାଯାଉଛି। ତେବେ ୪୫ରୁ ଅଧିକ ଲୋକ କେନ୍ଦ୍ରକୁ ଆସୁ ନ ଥିବା ଜଣାପଡ଼ିଛି। ବିହାର, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଆସାମ ଏଭଳି ଘଟଣା ଅଧିକ ଘଟୁଥିବା କୁହାଯାଉଛି।

Share