ଫସଲ ନଷ୍ଟକଲେ, ଘର ଜାଳିଦେଲେ

ଉମରକୋଟ,୧୪ ।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମିକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ଶନିବାର ଉଗ୍ରରୂପ ନେଇଛି। ଗ୍ରାମବାସୀଙ୍କ ଜଙ୍ଗଲ ଜମିରେ ଚାଷ କରିବାକୁ ବିରୋଧ କରି ବନ ସୁରକ୍ଷା ସମିତିର ସଦସ୍ୟମାନେ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମର ଶତାଧିକ ଏକର ମକା ଫସଲ ନଷ୍ଟ କରିବା ସହ କପସାଭଟା ଗ୍ରାମରେ ଗୋଟିଏ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି।
କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ୮୦ରୁ ଊର୍ଦ୍ଧ୍ୱ ଜନଜାତି ପରିବାର ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହି ଆସୁଛନ୍ତି। ସ୍ଥାନୀୟ ଜଙ୍ଗଲ ଜମିରେ ଚାଷକରି ପରିବାର ଚଳାଉଛନ୍ତି। ୨୦୦୫ ରୁ କୁସୁମଗୁଡ଼ା ବନ ସୁରକ୍ଷା ସମିତି ଏହି ତିନି ଗ୍ରାମର ଜନଜାତି ଲୋକକୁ ଏଠାରୁ ଉଠାଇବା ପାଇଁ ଦାବି କରିବା ସହ ଜଙ୍ଗଲ ଜମିରେ ଚାଷ କରିବାକୁ ମନା କରୁଥିଲେ। ଏହାକୁ ନେଇ ଅନେକ ଥର ବିବାଦ ସୃଷ୍ଟି ହୋଇଛି। ଗତବର୍ଷ ଚାଷ କରିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ତିନି ଗ୍ରାମର ଜନଜାତି ଲୋକେ ଚାଷ କରି ନ ଥିଲେ। ଚଳିତ ବର୍ଷ ବନ ସୁରକ୍ଷା ସମିତି ଚାଷ କରିବାକୁ କହିବାରୁ ଗ୍ରାମବାସୀ ଚାଷ କରିଥିଲେ। ତେବେ ଅଧିକ ଜମିରେ ଚାଷ କରିଥିବାରୁ ଶନିବାର ୮ ଖଣ୍ଡ ଗ୍ରାମର ବନ ସୁରକ୍ଷା ସମିତି ସଦସ୍ୟ ପହଞ୍ଚି ଗ୍ରାମବାସୀଙ୍କ ମକାଚାଷ ଫସଲ ନଷ୍ଟ କରି ଜମିରେ ଗୋରୁ ଛାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ବିବାଦକୁ ନେଇ ପୂର୍ବରୁ ଗ୍ରାମବାସୀ ପୋଲିସ-ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଚଳିତ ବର୍ଷ ଫସଲ ଅମଳ ପରେ ବିବାଦର ସମାଧାନ କରାଯିବ ବୋଲି ପୋଲିସ କହିଥିଲା। ସମାଧାନ ପୂର୍ବରୁ ଶନିବାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏମିତିକି ପୋଲିସ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇବା ପାଇଁ ବନ ସୁରକ୍ଷା ସମିତି ପକ୍ଷରୁ ରାସ୍ତାରେ ଗଛ ପକାଇ ଅବରୋଧ କରାଯାଇଥିଲା। ଉମରକୋଟ ତହସିଲଦାର, ଥାନା ଅଧିକାରୀ, ରେଞ୍ଜର ପୋଲିସ ଫୋର୍ସ ସହ ଗାଁରେ ପହଞ୍ଚିଥିଲେ। ତେବେ କ୍ଷତିଗ୍ରସ୍ତ ଗ୍ରାମବାସୀ ଏବଂ ବନ ସୁରକ୍ଷା ସମିତି ସଦସ୍ୟଙ୍କ ସହ ଆଲୋଚନା ହୋଇପାରି ନ ଥିଲା। ଜିଲାପାଳଙ୍କୁ ସମସ୍ୟା ଜଣାଇବା ପାଇଁ ଗ୍ରାମବାସୀ ଗଁା ଛାଡ଼ି ନବରଙ୍ଗପୁର ଚାଲିଯାଇଥିଲେ। ରବିବାର ଉଭୟ ପକ୍ଷଙ୍କୁ ଏକାଠି କରି ମାମଲାର ସମାଧାନ କରାଯିବ ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ପୋଲିସ ନିଜ ଆଡ଼ୁ ତଦନ୍ତ କରିବ ବୋଲି କହିଛି। ଘଟଣା ନେଇ ବନ ସୁରକ୍ଷା ସମିତି ସଦସ୍ୟ ଗଙ୍ଗାଧର ମାଝି, ପୂର୍ଣ୍ଣ ଗଣ୍ଡଙ୍କୁ ପଚାରିବାରୁ ଜମିରେ ଗୋରୁ ଛାଡ଼ି ମକା ଫସଲ ନଷ୍ଟ କରାଯାଇଥିବା ସ୍ବୀକାର କରିଛନ୍ତି। ତେବେ ଘର ପୋଡ଼ି ଦେଇଥିବା ଅଭିଯୋଗ ମିଛ ବୋଲି କହିଛନ୍ତି।