ଟ୍ରଫି ପରେ ଟ୍ରଫି ଜିତିବା ସତ୍ତ୍ୱେ ୱେଷ୍ଟଇଣ୍ଡିଜ ଅଧିନାୟକଙ୍କ ବଢୁଛି ଟେନ୍‌ସନ୍‌: ପଛର କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ

ହାଇଦ୍ରାବାଦ,୧୫।୧୦: ଭାରତ ଗସ୍ତରେ ୱେଷ୍ଟଇଣ୍ଡିଜ ଅଧିନାୟକ ଶାଇ ହୋପଙ୍କ ବ୍ୟାଟ୍‌ରୁ ବର୍ଷୁଛି ରନ। ଦିନିକିଆ ଓ ଟି-୨୦ ସିରିଜ୍‌ରେ ତାଙ୍କ ଦମ୍‌ଦାର ପ୍ରଦର୍ଶନ ଭାରତୀୟ ବୋଲରଙ୍କ ଚିନ୍ତା ବଢ଼ାଇଛି। ଲଗାତାର ଭଲ ପ୍ରଦର୍ଶନ ସହ ସେ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ହାସଲ କରୁଛନ୍ତି। କିନ୍ତୁ ଏହି ପୁରସ୍କାର ଏବେ ତାଙ୍କ ପାଇଁ ଏକ ମଜାଦାର ସମସ୍ୟା ସୃଷ୍ଟି କରିଛି।

ହାଇଦ୍ରାବାଦରେ ଚତୁର୍ଥ ଟି-୨୦ ମ୍ୟାଚ ପରେ ଶାଇ ହୋପ ନିଜର ମଜାଳିଆ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଲଗାତାର ପ୍ଲେୟର ଅଫ ଦି ମ୍ୟାଚ ଟ୍ରଫି ଜିତିବା ପରେ ସେ କହିଥିଲେ, ଏହି ଟ୍ରଫିଗୁଡ଼ିକ ବେଶ ଭାରୀ। ତେଣୁ ଘରକୁ ଫେରିବା ପୂର୍ବରୁ ତାଙ୍କୁ ଲଗେଜ୍‌ର ଓଜନ ପୁଣି ଥରେ ଯାଞ୍ଚ କରିବାକୁ ପଡ଼ିବ। ବିମାନ ଯାତ୍ରା ସମୟରେ ଲଗେଜ୍‌ର ନିର୍ଦ୍ଧାରିତ ଓଜନ ସୀମା ଥିବାରୁ ଟ୍ରଫିଗୁଡ଼ିକୁ ନେଇ ତାଙ୍କୁ ଅସୁବିଧା ହୋଇପାରେ ବୋଲି ସେ ମଜାଳିଆ ଢଙ୍ଗରେ କହିଥିଲେ।

ଭାରତ ଗସ୍ତରେ ଶାଇ ହୋପଙ୍କ ବ୍ୟାଟିଂ ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଦିନିକିଆ ସିରିଜ୍‌ର ସେ ୩ଟି ମ୍ୟାଚ୍‌ରେ ୧୩୯ ହାରରେ ମୋଟ ୨୭୮ ରନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଟି-୨୦ ସିରିଜ୍‌ରେ ମଧ୍ୟ ତାଙ୍କ ବ୍ୟାଟ ଶାନ୍ତ ହୋଇନାହିଁ। ୪ଟି ପାଳିରେ ସେ ୨୬୧ ରନ କରିଛନ୍ତି। ତୃତୀୟ ଦିନିକିଆ, ଦ୍ୱିତୀୟ ଟି-୨୦ ଏବଂ ଚତୁର୍ଥ ଟି-୨୦ରେ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଜିତି ହୋପ ନିଜର ପ୍ରଭାବ ଜାହିର କରିଛନ୍ତି।

ଶାଇ ହୋପଙ୍କ ଲଗାତାର ରନ ସଂଗ୍ରହ ୱେଷ୍ଟଇଣ୍ଡିଜକୁ ମଜଭୁତ ସ୍ଥିତିରେ ରଖିଛି। ତାଙ୍କୁ ଶୀଘ୍ର ଆଉଟ କରିବା ଭାରତୀୟ ବୋଲରଙ୍କ ପାଇଁ ଏକ ବଡ଼ ଆହୱାନ ହୋଇଛି। ଆଗାମୀ ମ୍ୟାଚ୍‌ରେ ମଧ୍ୟ ହୋପଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 

Share