ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):ଲଘୁଚାପ ପ୍ରଭାବରେ ବୁଧବାର ବିଳମ୍ବିତ ରାତ୍ର ଠାରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ତେବେ ଆଜି ରଥଯାତ୍ରା ରହିଥିବା ବେଳେ ବ୍ଲକ ଅଞ୍ଚଳର ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର, ଦାରିଙ୍ଗବାଡି ଥାନା ସିମନବାଡି, ଶ୍ରାନିକେତା ପଞ୍ଚାୟତ ଟକରମାଲା ଏବଂ ସିମନବାଡି ପଞ୍ଚାୟତର ଦୁର୍ଗମ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଗବାଟବାଡ଼ି ଗ୍ରାମରେ ଏହିଯାତ୍ରା ବଡ଼ ଧୂମଧାମରେ ପାଳନ କରାଯାଉଛି । ଏହି ସବୁ ରଥଯାତ୍ରାରେ ବର୍ଷା କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରଭାବିତ କରିପାରିନି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଗବାଟବାଡ଼ି ଗ୍ରାମରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଛେରା ପହଁରା କରିବା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଗାଁରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗୋଟିଏ ପଟେ ବର୍ଷା ଲାଗି ରହିଥିବା ବେଳେ ଗାଁରେ ବର୍ଷାକୁ ଖାତିର୍ ନକରି ସଂକୀର୍ତ୍ତନ ଦଳ ଗାଁ ପରିକ୍ରମା କରିବା ସହ ଉତ୍ସାହର ସହ ଯାତ୍ରା ପାଳନ କରୁଛନ୍ତି। ଏମ୍ପିଙ୍କ ସହ କନ୍ଧମାଳ ନିର୍ବାଚନମଣ୍ଡଳୀର ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।