ଚଢ଼ାଉ ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ କାରବାର

ରାୟଗଡ଼ା(ସ୍ବ.ପ୍ର)/ରାୟଗଡା ଅଫିସ୨୫ା୪: ରାୟଗଡା ସହରଦେଇ ବ୍ୟବସାୟୀମାନେ ଗଞ୍ଜେଇ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ତଥା ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ସେମାନଙ୍କର ଅବକାରୀ ତଥା ସ୍ଥାନୀୟ ପୋଲିସକୁ ତିଳେମାତ୍ର ଭୟ ନ ଥିବା ଭଳି ଜଣାପଡୁଛି। ଜିଲାରେ ନିୟମିତ ଯାଞ୍ଚ କଡାକଡି ହେଉଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉଁନାହିଁ । ମାଫିଆ ତଥା ବ୍ୟବସାୟୀମାନେ ଜିଲା ଭିତରୁ ତଥା ପଡୋଶୀ ଜିଲାଗୁଡିକରୁ ବିପୁଳ ପରିମାଣର ଗଞ୍ଜେଇ ଆଣି ରାୟଗଡାରୁ ଟ୍ରେନ ତଥା ବସ, ଟ୍ରକ ଓ ଅନ୍ୟାନ୍ୟ ଉପାୟରେ ଅନ୍ୟ ରାଜ୍ୟଗୁଡିକୁ ଚାଲାଣ କରିବା ପାଇଁ ଅନେକ ସମୟରେ ଯୋଜନା କରୁଛନ୍ତି ।
ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୩ କେଜି ଗଞ୍ଜେଇ ଜବତ ହୋଇଛି ା ରାୟଗଡ଼ା ରେଞ୍ଜ କାର୍ଯ୍ୟାଳୟ ପାଖରୁ ୧୮କେଜି, ଜିଲା ମୋବାଇଲ ୟୁନିଟ ପକ୍ଷରୁ ୬୦କେଜି ଏବଂ ଗୁଣପୁର ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ କମିଶନର ଆଶିଷ ସିଂ ଓ ଜିଲାପାଳ ସ୍ବଧା ଦେବ ସିଂଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିବା ରାୟଗଡ଼ା ରେଞ୍ଜ ଇନ୍ସପେକ୍ଟର ସୀମା କିରଣ ବେକ୍‌ ସୂଚନା ଦେଇଛନ୍ତି ା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ସ୍ଥାନୀୟ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତିଙ୍କଠାରୁ ଅବକାରୀ ଟିମ୍‌ ୧୮.୨୫୦ କେଜି ଗଞ୍ଜେଇ ଜବତ କରିଥିଲା। ସଂମ୍ପୃକ୍ତ ଯୁବକ ଗୁଜରାଟର ତରଙ୍ଗ କୁମାର ରାମଚନ୍ଦ୍ର କ୍ଷେତ୍ରୀଙ୍କୁ ଗିରଫ କରାଯାଇଥିଲା। ସେହିପରି ଜିଲା ମୋବାଇଲ ୟୁନିଟର ଇନ୍ସପେକ୍ଟର ହିତାଂଶୁ ଶେଖର ମଲିକଙ୍କ ନେତୃତ୍ୱରେ ରାୟଗଡ଼ା ରେଳ ଷ୍ଟେଶନ ଛକ ନିକଟରୁ ମହାରାଷ୍ଟ୍ରର ବାଲୁ ରାମଚନ୍ଦ୍ର ଚୌହାନ ନାମକ ଯୁବକଙ୍କଠାରୁ ୬୦ କେଜି ଗଞ୍ଜେଇ ଜବତ କରାଯାଇଛି ା ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ନଂ.୧୨ ଓ ୬/୨୩ରେ ମାମଲା ରୁଜୁ ସହ କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ବେକ୍‌ ସୂଚନା ଦେଇଛନ୍ତି। ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବଇନ୍ସପେକ୍ଟର କିଶୋର ଚନ୍ଦ୍ର ରଥ, ଏଏସଆଇ ସଂଗ୍ରାମ କେଶରୀ ପ୍ରଧାନ, କନେଷ୍ଟବଳ ପି.କିଶୋର,ସନ୍ତୋଷ ଗଉଡ,ଈଶ୍ୱର କାଡ୍ରକା,ଚନ୍ଦନ ପାଣି,ଅର୍ଜୁନ ମୁଣ୍ଡାଗଡିଆ,ସଂଜୟ ମାଝି ଓ ରୀନା ବାରିକ ପ୍ରମୁଖ ସାମିଲ ହୋଇଥିଲେ । ସେହପରି ଗୁଣପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ପ୍ରୀତିଧର ନାୟକଙ୍କ ନେତୃତ୍ୱରେ ଗୁଣପୁର ନୂଆ ବସଷ୍ଟାଣ୍ଡ ନିକଟରୁ ମହାରାଷ୍ଟ୍ରର ଅବିନାଶ ଚୌହାନ ନାମକ ଜଣେ ଯୁବକଙ୍କ ଠାରୁ ୪୫ କେଜି ଗଞ୍ଜେଇ ଜବତ କରାଯାଇଛି ା ଏ ନେଇ ନଂ.୮/୨୩ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ା