ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ ହୋଇନାହିଁ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରିବା ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ମାମଲା ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଆମେରିକାର କୂଟନୀତିଜ୍ଞଙ୍କୁ ଡକାଇ ମିଲର ବୁଧବାର କହିଛନ୍ତି, ଆମେ ଏକ ନିରପେକ୍ଷ, ସ୍ବଚ୍ଛ, ସମୟାନୁବର୍ତ୍ତୀ ଆଇନଗତ ପ୍ରକ୍ରିୟାକୁ ଉତ୍ସାହିତ କରୁଛୁ। ଆମେ ଭାବୁନାହୁଁ ଏହା ଉପରେ କାହାର କିଛି ଆପତ୍ତି ରହିବା ଉଚିତ୍‌।
ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କେଜ୍‌ରିୱାଲଙ୍କୁ ଗିରଫ କରିଛି। ବର୍ତ୍ତମାନ କେଜ୍‌ରିୱାଲ ଇଡି ହେପାଜତରେ ଅଛନ୍ତି। ଗୋଟିଏ ଦିନ ପୂର୍ବରୁ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ବୈଦେଶିକ ବିଭାଗ ମଧ୍ୟ ମନ୍ତବ୍ୟ ଦେଇଥିଲା। ଏହା ପରେ ବୁଧବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦିଲ୍ଲୀରେ ଆମେରିକାର ମିଶନର କାର୍ଯ୍ୟନିର୍ବାହୀ ଡେପୁଟି ଚିଫ ଗ୍ଲୋରିଆ ବାରବେନାଙ୍କୁ ଡକାଇ ଏକ ଦୃଢ ବିରୋଧ ପ୍ରଦର୍ଶନ କରି ଏହି ମନ୍ତବ୍ୟକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଛି।
ୱାଶିଂଟନରେ ସ୍ବରାଷ୍ଟ୍ର ବିଭାଗର ସାମ୍ବାଦିକ ସମ୍ମିଳନୀରେ ନୂଆଦିଲ୍ଲୀରେ ଆମେରିକାର ମିଶନର କାର୍ଯ୍ୟନିର୍ବାହୀ ଡେପୁଟି ମୁଖ୍ୟ ଗ୍ଲୋରିଆ ବାରବେନାଙ୍କୁ ଡକାଇବା ଏବଂ କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ନେଇ ପ୍ରଶ୍ନ ପଚରାଯାଇଥିଲା। ଏଥିପାଇଁ ମିଲର କହିଛନ୍ତି ଯେ, କଂଗ୍ରେସ ଦଳର ଅଭିଯୋଗ ବିଷୟରେ ମଧ୍ୟ ଆମେ ଅବଗତ ଅଟୁ ଯେ ଟିକସ କର୍ତ୍ତୃପକ୍ଷ ସେମାନଙ୍କ କିଛି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରି ଦେଇଛନ୍ତି, ଯାହା ଆସନ୍ତା ନିର୍ବାଚନରେ ପ୍ରଭାବଶାଳୀ ପ୍ରଚାର କରିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆମେ ପ୍ରତ୍ୟେକ କ୍ଷେତ୍ରରେ ଏକ ନିରପେକ୍ଷ, ସ୍ବଚ୍ଛ ଏବଂ ସମୟାନୁବର୍ତ୍ତୀ ଆଇନଗତ ପ୍ରକ୍ରିୟାକୁ ଉତ୍ସାହିତ କରୁ।

Share