ହତାଶ ପ୍ରେମିକର ଉନ୍ମତ୍ତ କାଣ୍ଡ, ହତ୍ୟା ପରେ ପ୍ରେମିକାଙ୍କ ମୃତଦେହ କୂଅରେ ଫିଙ୍ଗି ଦେଲେ

ବରଗଡ଼ ଅଫିସ,୧୯।୩: ବିବାହ କରିବାରେ ବିଫଳ ହେବା ପରେ ଜଣେ ହତାଶ ପ୍ରେମିକ ନିଜ ପ୍ରେମିକାଙ୍କୁ ମାରି କୂଅ ଭିତରକୁ ଫିଙ୍ଗିଦେବା ଘଟଣା ବରଗଡ଼ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ବରଗଡ଼ ଜିଲା ବିଜେପୁର ଥାନା ସାଇପାଲି ଗ୍ରାମରେ ଘଟିଛି। ଗ୍ରାମର ପଦ୍ମିନୀ ଛତ୍ରିଆଙ୍କ ସହିତ ଉକ୍ତ ଗ୍ରାମର ଚନ୍ଦ୍ରଶେଖର ସେଠ୍‌ଙ୍କ ପ୍ରେମ ସମ୍ପର୍କ ରହିଥିଲା। ଇତିମଧ୍ୟରେ ପଦ୍ମିନୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇ ସାରିଥିବା ବେଳେ ଗତ ୧୫ତାରିଖରୁ ପଦ୍ମିନୀ ନିଖୋଜ ହୋଇଯାଇ ଥିଲେ। ଚନ୍ଦ୍ରଶେଖର ତାଙ୍କୁ ଅପହରଣ କରି ନେଇଥିବା ପଦ୍ମିନୀଙ୍କ ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହିତ ଚନ୍ଦ୍ରଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା ପରେ ମୃତଦେହ ଗାଁ ଉପକଣ୍ଠରେ ରହିଥିବା ଏକ କୂଅ ଭିତରକୁ ଫିଙ୍ଗି ଦେଇଥିବା ନେଇ ଚନ୍ଦ୍ରଶେଖର ପୋଲିସ ଆଗରେ ସ୍ବୀକାର କରିବା ସହିତ ଘଟଣାସ୍ଥଳ ଦେଖାଇଥିଲା। ଶନିବାର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ ଉପସ୍ଥିତିରେ ଶବର ପଞ୍ଚନାମା ମଧ୍ୟ କରାଯାଇଥିଲା । ଆଜି ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ ଗିରଫ କରି ସ୍ବାସ୍ଥ୍ୟ ପରୀକ୍ଷା ପରେ ସୋହେଲା କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୪, ୩୦୨, ୨୦୧ ଆଇପିସିରେ ଏକ ମାମଲା ନଂ-୫୯/୨୦୨୩ ରୁଜୁ ହୋଇଥିବା ବିଜେପୁର ଥାନା ଅଧିକାରୀ ସନୟ କୁମାର ନାଏକ ସୂଚନା ଦେଇଛନ୍ତି।