Categories: ଜାତୀୟ

ପୋଲିସ ସହାୟତାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଭାଜପା ଗୁଣ୍ଡାଙ୍କ ଆକ୍ରମଣ : ଏଏପିର ଅଭିଯୋଗ

ନୂଆଦିଲ୍ଲୀ,୧୦।୧୨- ପୋଲିସର ସାହାଯ୍ୟରେ ଭାଜପାର ଗୁଣ୍ଡାମାନେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଆମ ଆଦମି ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୋଲିସ ଉପସ୍ଥିତିରେ ଗୁଣ୍ଡାମାନେ ବାସଭବନ ପରିସରରେ ପ୍ରବେଶ କରିଥିଲେ। ଦିଲ୍ଲୀରେ ଦିନକୁ ଦିନ ଭାଜପା କାହିଁକ ନିରାଶ ହେଉଛି ବୋଲି ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ।

ଗୁରୁବାର ସକାଳେ ଏଏପି ପ୍ରବକ୍ତା ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଭାଜପା କର୍ମକର୍ତ୍ତା ଓ ଦିଲ୍ଲୀ ପୋଲିସ ଉପରେ ସଙ୍ଗୀନ ଆରୋପ ଲଗାଇଥିଲେ। ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବାସଭବନରେ ଭାଜପା କର୍ମକର୍ତ୍ତାଙ୍କୁ ରୋକି ନ ଥିଲା ଉପସ୍ଥିତ ପୋଲିସ। ଆଉ ବ୍ୟାରିକେଡ୍‌ ମଧ୍ୟ ହଟାଇ ଦେଇଥିଲା ବୋଲି ସୌରଭ ଦାବି କରିଥିଲେ। ଏହି ଘଟଣାକୁ ଏଏପି ନେତା ଅତିଶୀ ମାରଲେନା ଦିଲ୍ଲୀ ରାଜନୀତିର ‘କଳା ଦିବସ’ ବୋଲି କହିଛନ୍ତି। ଅନ୍ୟପଟେ ପୋଲିସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

Share