ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ ଗ୍ରାମକୁ ଯାଇ ସେ ବିପନ୍ନମାନଙ୍କୁ ଭେଟିଛନ୍ତି। ବିପନ୍ନମାନେ ବନ୍ୟାରେ ଧାନଚାଷ, ରାସ୍ତା ଇତ୍ୟାଦି ନଷ୍ଟ ହୋଇଥିବା ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇଥିବା କହିଥିଲେ। ବନ୍ୟାପାଣିରେ ବୁଡିଯିବା ଯୋଗୁ ମାଛଚାଷ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ଏସଏଚଜି ମହିଳାମାନେ ଦର୍ଶାଇଥିଲେ । ବିପନ୍ନମାନେ କୃଷି ଋଣ ଛାଡ଼ ସହିତ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ସୋମେଶ ଉପାଧ୍ୟାୟ, ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ,ଜିଲାମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ତହସିଲଦାର ସୁବାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକ, ଜିଲା ଭାଜପା ସଭାପତି ଭଗବାନ ପଣ୍ଡା, ଏମପିଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବାରସର ସରପଞ୍ଚ ଚକ୍ରଧର ଦାସ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ଼ଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ପରିଡ଼ା ସେହି ଅଞ୍ଚଳରୁ ଫେରିବା ପରେ ବ୍ଲକ କାର୍ଯ୍ୟାଳୟରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିପନ୍ନମାନେ ତାଙ୍କୁ ଭେଟି ଦୁର୍ଦ୍ଦଶା ସମ୍ପର୍କରେ ଜଣାଇ କ୍ଷତିପୂରଣ ଦାବି କରିଥିବା ଜଣାଯାଇଛି ।