କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି। ପଞ୍ଚାୟତରେ ଚାଲିଥିବା SIR-୨୦୨୬ ଅନ୍ତର୍ଗତ ଦାବି ଓ ଆପତ୍ତି ଗ୍ରହଣ ପର୍ଯ୍ୟାୟର କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଉପ-ଶାସନ ସଚିବ (ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା କାର୍ଯ୍ୟାଳୟରୁ ପ୍ରତିନିଯୁକ୍ତ) ଜିତେନ୍ଦ୍ର କୁମାର ପାତ୍ର ଆଜି କୋରାପୁଟ ଜିଲାର କୋଟିଆ ଅଞ୍ଚଳ ଗସ୍ତ କରିଥିଲେ ।

ଗସ୍ତ ଅବସରରେ ପାତ୍ର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରି ଚାଲୁଥିବା ଦାବି ଓ ଆପତ୍ତି ଗ୍ରହଣ ପ୍ରକ୍ରିୟା, ଭୋଟର ତାଲିକାରେ ନାମ ସଂଯୋଜନ, ବିଲୋପ ଓ ସଂଶୋଧନ ସମ୍ବନ୍ଧୀୟ ଆବେଦନର ସ୍ଥିତି ସମୀକ୍ଷା କରିଥିଲେ। ସେ ଉପସ୍ଥିତ ନିର୍ବାଚନ ଅଧିକାରୀ, ବୁଥ୍‌ ସ୍ତରୀୟ ଅଧିକାରୀ (BLO) ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ।

ସେ ନିର୍ଦ୍ଦେଶ ଦେଇଥିଲେ ଯେ, ସ୍ବଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ମତଦାତା ତାଲିକା ପ୍ରସ୍ତୁତିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉ। ଦାବି ଓ ଆପତ୍ତି ସମ୍ବନ୍ଧୀୟ ସମସ୍ତ ଆବେଦନକୁ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଯାଞ୍ଚ କରି ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବା ସହ ଯୋଗ୍ୟ ମତଦାତାମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ଗସ୍ତ ସମୟରେ ଜିଲା ପ୍ରଶାସନ ଓ ନିର୍ବାଚନ ବିଭାଗର ଅଧିକାରୀମାନେ ଏବଂ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଉପସ୍ଥିତ ରହି ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ଗ୍ରହଣ କରାଯାଇଥିବା ଦାବି ଓ ଆପତ୍ତିର ସଂଖ୍ୟା ଏବଂ ସେଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

Odisha’s No.1 Odia Daily