ପାନୀୟ ଜଳରୁ ବଞ୍ଚିତ କିରାମାହାବାସୀ

ବ୍ରାହ୍ମଣୀଗାଁ,୨୬ା୯(ମନୋରଞ୍ଜନ ରଣା): ପ୍ରକଳ୍ପ ଅଛି ହେଲେ ମିଳୁନି ବସୁଧା ପାନୀୟ ଜଳ। ସାଧାରଣ ଫ୍ୟୁଜ୍‌ଟିଏ ପକାଯାଇ ନ ଥିବାରୁ ଦୁଇମାସ ହେଲାଣି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର କିରାମାହାବାସୀ। ଏହି ଗ୍ରାମରେ ଆଦିବାସୀ ଓ ଦଳିତବର୍ଗର ପ୍ରାୟ ୪୦୦ ପରିବାରର ୨୦୦୦ ଲୋକ ବସବାସ କରନ୍ତି। ୯୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବେଳେ ଦିନ ମଜୁରି ଉପରେ ନିର୍ଭର କରିଥାନ୍ତି।
କୋଟି କୋଟି ଟଙ୍କା ବିନିଯୋଗ କରି ଗରିବ ଜନସାଧାରଣଙ୍କ ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ ବସୁଧା ଯୋଜନାରେ ଏକ ପ୍ରକଳ୍ପ ପ୍ରଦାନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ପ୍ରାୟ ଦୁଇ ମାସ ହେବ ସାଧାରଣ ଫ୍ୟୁଜ୍‌ଟିଏ ପାଇଁ ଏହି ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ପାଣି ପଞ୍ଚାୟତର ସଭାପତି ଗଙ୍ଗାଧର ନାୟକ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ବେଳେ ଯନ୍ତ୍ରୀଙ୍କୁ କହିଲେ ସେ ଲାଇନ ମ୍ୟାନ୍‌ଙ୍କୁ ଡାକନ୍ତୁ ବୋଲି କହୁଛନ୍ତି ଏବଂ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀଙ୍କୁ କହିଲେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଉତ୍ତର ମିଳୁ ଥିବା ସେ କହିଛନ୍ତି, ପାନୀୟ ଜଳର ଅଭାବ ହେତୁ ଠିକ୍‌ ସମୟରେ କାମକୁ ଯାଇପାରୁ ନ ଥିବା ଏବଂ ବର୍ଷା ଦିନ ଥିବାରୁ ଚାଳରୁ ପଡୁଥିବା ପାଣିକୁ ବ୍ୟବହାର କରନ୍ତି ଓ ବର୍ଷା ଛାଡ଼ିଲେ ଚୁଆଁ କିମ୍ବା ବିଲ ମାଳ ପାଣି ବ୍ୟବହାର କରୁଥିବା ଗ୍ରାମର ମହିଳାମାନେ କହିଛନ୍ତି । ଏଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।