ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି। ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଦିଗ ବଦଳାଇ ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ୨୫ ତାରିଖ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ। ଏହା ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।