ଡିପ୍ରେସନ ବା ଅବସାଦ ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅତ୍ୟଧିକ କାମ ଚାପ, ପାରିପାର୍ଶ୍ୱିକ ପରିସ୍ଥତି ଆଦି ଏଥିପାଇଁ କେତେକାଂଶରେ ଦାୟୀ। ତେବେ ଏହା ଦୀର୍ଘଦିନ ଧରି ଲାଗି ରହିଲେ ତାହା ଆଉ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ତାହା ହେଲା ହୃଦ୍ଘାତ। କେତେକ ବ୍ୟକ୍ତିଙ୍କର ହୃଦ୍ଜନିତ ସମସ୍ୟା ପଛରେ ଆଉ କି କି କାରଣ ରହିଛି ତାହାକୁ ତର୍ଜମା କରିବା ବେଳେ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣପାରିଥିଲେ। ଅଧିକାଂଶ ସମୟ ଚୁପଚାପ ରହିବା, ଏଣୁତେଣୁ କଥା ସବୁବେଳେ ଭାବିବା, ଅଯଥା ଟେନସନଗ୍ରସ୍ତ ହେବା ଦ୍ୱାରା ଏହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡ଼େ। ଯେତେବେଳେ ଶରୀରରେ ରକ୍ତ ସଞ୍ଚାଳନରେ ଏପଟ ସେପଟ ହୁଏ ସେତେବେଳେ ଏହାଦ୍ୱାରା ହୃତପିଣ୍ଡ କାର୍ଯ୍ୟଧାରା ମଧ୍ୟ ପ୍ରଭାବିତ ହୁଏ। ଏପରିକି ଅଯଥାରେ ହାର୍ଟ ଆଟାକ ବା ହୃଦ୍ଘାତ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ନିଜକୁ ଡିପ୍ରେସନଠାରୁ ଯେତେ ସମ୍ଭବ ଦୂରେଇ ରଖିବା ସହ ମାନସିକତାକୁ ସକାରାତ୍ମକ ରଖିବାକୁ ସେମାନେ ପରାମର୍ଶ ଦେଇଛନ୍ତି।