ନାମାଙ୍କନ ଦାଖଲକୁ ବିରୋଧ କଲେ ଜମାକାରୀ, ଋଣ ଗ୍ରହୀତା

ବାହାନଗା, ୭।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିର ନିର୍ବାଚନ ନିମନ୍ତେ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ା ନାମାଙ୍କନ ପତ୍ର ଦାଖଲକୁ ଜମାକାରୀ ଓ ଋଣ ଗ୍ରହୀତାମାନେ ବିରୋଧ କରିବାରୁ ଶେଷ ଦିନରେ କେହି ନାମାଙ୍କନପତ୍ର ଦାଖଲ କରିଥିଲେ। ଜମାକାରୀ ଓ ଋଣ ଗ୍ରହୀତାଙ୍କ ଟଙ୍କା ଫେରସ୍ତ ଦାବି କରି ଧାରଣା ଦେଇଛନ୍ତି ଚାଷୀ।
ସମିତିରେ ଦୀର୍ଘ ୪ବର୍ଷ ହେଲାଣି କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ତଦନ୍ତ ନ କରି ଜମା ରଖିଥିବା ଜମାକାରୀ ଓ ଋଣ ନେଇ ନ ଥିବା ଜମାକାରୀଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ଉଠାଯାଇଥିବା ଜଣାପଡିବା ପରେ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଛନ୍ତି ା
ତେବେ ସେମାନଙ୍କ ଆନ୍ଦୋଳନକୁ କେହି ଗୁରୁତ୍ୱ ଦେଉ ନ ଥିବାରୁ ସେବା ସମବାୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଆବାହକ ପ୍ରଦୀପ କୁମାର ବେହେରାଙ୍କ ଆହ୍ବାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା ା ବସନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ସମିତି ଅଧୀନରେ ଥିବା ଚାଷୀ, ଜମାକାରୀ, ଋଣ ଗ୍ରହୀତା ପ୍ରମୁଖ ଏକାଠି ହୋଇ ସମିତି ସାମ୍ନାରେ ଧାରଣାରେ ବସି ରହିଥିଲେ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ନିର୍ବାଚନ ହେବାକୁ ଦିଆଯିବ ନାହିଁ ବୋଲି ଧାରଣାକାରୀମାନେ ଅଡି ବସିଥିଲେ। ଫଳରେ ନାମାଙ୍କନ ପତ୍ର ଦାଖଲ ନେବାକୁ ଆସିଥିବା ପଞ୍ଚାୟତ ପିଇଓ ଦୁର୍ଯ୍ୟୋଧନ ମାଝିଙ୍କୁ କ୍ରିୟାନୁଷ୍ଠାନ କମିଟି ଫେରାଇ ଦେଇଥିଲେ। ଶେଷ ଦିନରେ କେହି ନାମାଙ୍କନ ପତ୍ର ଦାଖଲ କରିପାରି ନ ଥିଲେ। ଧାରଣାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ଦାଶ, ଅନିରୁଦ୍ଧ ବେହେରା, ସରପଞ୍ଚ ରମାକାନ୍ତ ମଳିକ, ସମିତିସଭ୍ୟ ହିମାନୀ ମହାପାତ୍ର, ଦୟାନିଧି ଗିରି, ସୁଶାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ବିଜୟ ପଲେଇ, ରବୀନ୍ଦ୍ର ମଣ୍ଡଳ, ରମାକାନ୍ତ ପ୍ରଧାନ, ରମେଶ ବେହେରା, ଦିଲୀପ ଦାସ ପ୍ରମୁଖଙ୍କ ସହିତ ବହୁ ଚାଷୀ ଓ ଜମାକାରୀମାନେ ଉପସ୍ଥିତ ଥିଲେ ା