ଦେବଗଡ଼ରେ ହେବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଆଜି ଦେବଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହା ସହ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ୍‌ କରାଯାଇଛି । ଏଥିରେ ଜିଲାର ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଗମନାଗମନ ପ୍ରକଳ୍ପ ମଧ୍ୟ ସାମିଲ ଅଛି।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଜିଲାରେ ୩୦୦ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ହସ୍ପିଟାଲ ନିର୍ମାଣରେ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ଦେବଗଡ଼ବାସୀ ଉତ୍ତମ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଶିକ୍ଷାର ବିକାଶ ଲାଗି ୫-ଟି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ। ୩ଟି ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲାର ତିନୋଟି ବ୍ଲକକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।