ଦେବଗଡ଼ ବିଧାୟକ, ୨ ସହଯୋଗୀ ଗିରଫ

ଦେବଗଡ଼,୩ା୫(ଡି.ଏନ୍‌.ଏ):ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ରବିବାର ପୋଲିସ ଦେବଗଡ଼ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ଓ ତିଲେଇବଣୀ ବ୍ଲକ ନୋମିନିଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କିନ୍ତୁ ବିଧାୟକ ପାଣିଗ୍ରାହୀ ଅସୁସ୍ଥ ହୋଇପଡ଼ିବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି। ବିଧାୟକଙ୍କ ତିଲେଇବଣି ବ୍ଲକ ନୋମିନି ଅକାଲୁ ଧଳ ଏବଂ ସମର୍ଥକ କୁମରମଣି ସାହୁ ଜେଲ ହାଜତରେ ରହିଛନ୍ତି। ଅଦାଲତ ଜାମିନ ଆବେଦନର ଶୁଣାଣି ପାଇଁ ମେ ୭ ତାରିଖ ଧାର୍ଯ୍ୟ କରିଛନ୍ତି। ଦେବଗଡ଼ ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରୁ ବିଧାୟକ ପାଣିଗ୍ରାହୀ, ତାଙ୍କ ନୋମିନି ଓ ସମର୍ଥକଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଦେବଗଡ଼ ଅଭିମୁଖେ ଆଣୁଥିବା ବେଳେ ବିଧାୟକ ପାଣିଗ୍ରାହୀ ବାଟରେ ହଠାତ ଅସୁସ୍ଥ ହୋଇପଡିଥିଲେ। ଫଳରେ ପୋଲିସ ତାଙ୍କୁ ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ସାଲାଇନ ଦ୍ୱାରା ଚିକିତ୍ସା ପରେ ସନ୍ଧ୍ୟାରେ ଦେବଗଡ଼ ସ୍ବତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ମାତ୍ର ଅଦାଲତ ସେମାନଙ୍କର ଜାମିନ ଆବେଦନର ଶୁଣାଣି ନିମନ୍ତେ ଆଗାମୀ ୭ ତାରିଖ ଧାର୍ଯ୍ୟ କରିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।
ପ୍ରକାଶ ଯେ, ଗତ ଶନିବାର ଛେପିଲିପାଲି ଗ୍ରାମପଞ୍ଚାୟତର ଭାଲିଆଗୁଡି ଗ୍ରାମରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଧାୟକ ପାଣିଗ୍ରାହୀ ତାଙ୍କର ନୋମିନି ଓ ସମର୍ଥକଙ୍କ ସହିତ ମିଶି ସଂଘବଦ୍ଧ ଆକ୍ରମଣ କରିବା ସହ ଅପହରଣ ଏବଂ ହତ୍ୟା ଉଦ୍ୟମ କରିଥିବା ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ବିଧାୟକ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓ ଦଳପତି ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ପାଣିଗ୍ରାହୀ ମଧ୍ୟ ଅଭିଯୋଗ କରିଥିଲେ। ଉଭୟ ଏତଲା ଆଧାରରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ଉଭୟପକ୍ଷଙ୍କ ବିରୋଧରେ ୨ଟି ପୃଥକ ମାମଲା ରୁଜୁକରି ତଦନ୍ତ କରିଥିଲା।