୨୦୧୦ ପରେ ଜନ୍ମିତ ବ୍ୟକ୍ତିଙ୍କୁ ତମାଖୁ ବିକିବା ମନା

କୋପେନହାଗେନ,୧୭।୩: ଭବିଷ୍ୟତ ପିଢିକୁ ତମାଖୁମୁକ୍ତ କରିବାକୁ ଡେନମାର୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଚନ୍ତି। ୨୦୧୦ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସିଗାରେଟ ଏବଂ ଅନ୍ୟାନ୍ୟ ନିକୋଟିନ ଉତ୍ପାଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି ଡେନମାର୍କ ସରକାର। ଆବଶ୍ୟକ ହେଲେ ବୟସ ସୀମାକୁ ଧୀରେ ଧୀରେ ବଢାଇ ଏହି ପିଢିକୁ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେ ପ୍ରସ୍ତୁତ ବୋଲି ଡେନମାର୍କର ସ୍ବାସ୍ଥ୍ୟମନ୍ତ୍ରୀ ମାଗ୍‌ନସ ହେନିକେ କହିଛନ୍ତି।
ଡେନମାର୍କରେ ପ୍ରଚଳିତ ନିୟମ ଅନୁଯାୟୀ, ୧୮ ବର୍ଷରୁ କମ ବୟସରେ ସିଗାରେଟ କିଣିବା କିମ୍ବା ଇଲେକ୍ଟ୍ରୋନିକ ସିଗାରେଟ ଟାଣିବା ଉପରେ ନିଷେଧାଦେଶ ରହିଛି। ତେବେ ଡେନମାର୍କରେ ୧୫ରୁ ୨୯ ବର୍ଷ ବୟସର ୩୧% ଲୋକ ଧୂମପାନ କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି।
କର୍କଟ ରୋଗର ମୁକାବିଲା ପାଇଁ ଡେନମାର୍କ ଆସୋସିଏସନ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ୬୪% ଉତ୍ତରଦାତା ଏହି ଯୋଜନା ପାଇଁ ଭୋଟ ଦେଇଛନ୍ତି। ଏହା ଦର୍ଶାଉଛି ଯେ ଲୋକମାନେ ସରକାରଙ୍କ ସପକ୍ଷରେ ଅଛନ୍ତି ଏବଂ ଖୁବ ଶୀଘ୍ର ଏହା ଉପରେ ଏକ ଆଇନ ପ୍ରଣୟନ କରାଯିବ।
ପ୍ରତିବର୍ଷ ସ୍କାଣ୍ଡିନେଭିଆ (Nordic Region) ରେ ୧୩,୬୦୦ ଲୋକ କର୍କଟ ରୋଗରେ ପ୍ରାଣ ହରାନ୍ତି। ଏହା ପଛରେ ଧୂମପାନ ହେଉଛି ସବୁଠାରୁ ବଡ କାରଣ।

Share