ଡେଙ୍ଗୁ ଆତଙ୍କ: ଜଣେ ମୃତ, ୨ ମହିଳା ଚିକିତ୍ସାଧୀନ

ରଘୁନାଥପୁର,୨୨।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଡେଙ୍ଗୁ ବ୍ୟାପୁଛି। ଏହି ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଞ୍ଚାୟତର ଫତେପୁର ଗ୍ରାମର ରବୀନ୍ଦ୍ରନାଥ ରାଉତ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ଥାନୀୟ ଏରଡଙ୍ଗା ପଞ୍ଚାୟତର ଦାସସାହିର ଦୁଇ ମହିଳା ବିଷ୍ଣୁପ୍ରିୟା ଦାସ ଓ ବିଚଣି ଦାସ ଦୀର୍ଘଦିନ ହେବ ଜ୍ୱରରେ ପୀଡିତ ହୋଇ କଟକ ବଡ ମେଡିକାଲର ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଫତେପୁର ଗ୍ରାମର ଶୁକଦେବ ପ୍ରଧାନଙ୍କ ଘରେ ୩ ଜଣଙ୍କ ସମେତ ବନିତା ବେହେରାଙ୍କ ପରିବାରରୁ ସେ ଓ ତାଙ୍କ ଝିଅ ନର୍ମଦା ଦୀର୍ଘଦିନ ହେବ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗ୍ରାମର ଟୁନିଲତା ରାଉତ, ଯଶୋଦା ବେହେରା, ବିଦୁଲତା ଦାସ ଓ ଆଦିତ୍ୟ ଦାସ ପ୍ରମୁଖ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଏହି ଗ୍ରାମର ବହୁ ପରିବାରରେ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଜ୍ୱରରେ ଆକ୍ରାନ୍ତ ଥିବାରୁ ଦିନକୁ ଦିନ ଡେଙ୍ଗୁ ଭୟ ବଢ଼ିବାରେ ଲାଗିଛି। ଅପରପକ୍ଷେ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀଙ୍କଠାରୁ ଔଷଧ ଆଣି ଖାଇଥିଲେ ବି ଜ୍ୱର ଭଲ ହେଉନାହିଁ ବୋଲି କ୍ଷେତ୍ରମୋହନ ମହାନ୍ତି, କ୍ଷୀରୋଦ ପ୍ରଧାନ, ବୈରାଗୀ ପ୍ରଧାନ ଓ ବିଜୟ ରାଉତ ପ୍ରମୁଖ କହିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ମେଡିକାଲ ଟିମ୍‌ ପହଞ୍ଚତ୍ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା କରି ନ ଥିବାବେଳେ କୌଣସି ସଚେତନତାମୂଳକ ପଦକ୍ଷେପ ନେଇନାହିଁ। ବିଭିନ୍ନ ନାଳ ନର୍ଦ୍ଦମାରେ ମଶାବଂଶ ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକେ କହିିଛନ୍ତି। ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ଲେଖାଏ ଏଏନ୍‌ଏମ୍‌ କର୍ମଚାରୀ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଥିଲେ ସୁଦ୍ଧା ଜ୍ୱର ସମ୍ପର୍କରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଅଧିକାରୀ ସୁକାନ୍ତ ଦଳେଇ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜ୍ୱର ବ୍ୟାପିଥିବା ଗ୍ରାମଗୁଡ଼ିକୁ ସ୍ବାସ୍ଥ୍ୟ ଟିମ୍‌ ପଠାଯିବ ବୋଲି ଦଳେଇ କହିଛନ୍ତି। ତୁରନ୍ତ ଡେଙ୍ଗୁ ନିରାକରଣ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।