ଫତେପୁର, ଏରଡଙ୍ଗାରେ ବ୍ୟାପୁଛି ଡେଙ୍ଗୁ

ରଘୁନାଥପୁର,୨୯।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ଫତେପୁର ଗ୍ରାମ ଓ ନିକଟସ୍ଥ ଏରଡଙ୍ଗା ପଞ୍ଚାୟତରେ ଗତ ୧୦ ଦିନ ମଧ୍ୟରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଫତେପୁର ଗ୍ରାମରେ ୩ ଓ ଏରଡଙ୍ଗାରେ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନେକ ବ୍ୟକ୍ତି ଜ୍ୱରରେ ପୀଡିତ ହୋଇଛନ୍ତି। ମାତ୍ର ରକ୍ତ ପରୀକ୍ଷା କରିବା ପରିବର୍ତ୍ତେ ଲୁଚାଛପାରେ ବଜାରରୁ ଔଷଧ କିଣି ଖାଉଛନ୍ତି। ମେଡିକାଲ ଟିମ୍‌ ରକ୍ତନମୁନା ସଂଗ୍ରହ ପାଇଁ ଗ୍ରାମକୁ ଆସୁଥିଲେ ସୁଧା ଅନେକ ଲୋକ ଜ୍ୱରରେ ପୀଡିତ ଥାଇ ସୁଦ୍ଧା ରକ୍ତ ପରୀକ୍ଷା ପାଇଁ ଦେଉନାହାନ୍ତି କିମ୍ବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସହଯୋଗ କରୁ ନାହାନ୍ତି। ପୀଡିତ ବ୍ୟକ୍ତି ବାହାରେ ବୁଲିବା ଦ୍ୱାରା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ଡେଙ୍ଗୁ ବ୍ୟାପିବାର ଆଶଙ୍କା ରହିଛି। ଏହାଛଡ଼ା ଡେଙ୍ଗୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଶାରି ଭିତରେ ରହିବା ପାଇଁ କୁହାଯାଉଥିଲେ ସୁଦ୍ଧା ସେମାନେ ପରାମର୍ଶକୁ ଗ୍ରହଣ କରୁନାହାନ୍ତି ବୋଲି ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ସୁକାନ୍ତ କୁମାର ଦଳେଇ କହିଛନ୍ତି। ଏହା ମଧ୍ୟରେ ପରିବେଶକୁ ସଫାସୁତରା କରାଯିବା ସହ ମେଡିକାଲ ଟିମ ଗ୍ରାମରେ ପହଞ୍ଚତ୍ ପରିତ୍ୟକ ସ୍ଥାନଗୁଡ଼ିକୁ ବିଶୋଧନ କରିଛି। ଆଗାମୀ ଦିନରେ ଲୋକଙ୍କୁ ଅଧିକ ସଚେତନତା କରାନଗଲେ ଘରେ ଘରେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଶନିବାର ମେଡିକାଲ ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚତ୍ ପୁଣି ରକ୍ତନମୁନା ସଂଗ୍ରହ କରିବ ବୋଲି ଡା. ଦଳେଇ ପ୍ରକାଶ କରିଛନ୍ତି।