ନିୟନ୍ତ୍ରଣ ବାହାରେ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୮ା୧୦: ଗଞ୍ଜାମ ଜିଲାରେ ଡେଙ୍ଗୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୩୯ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ ରହିବା ସହ ପରିବେଶ ସଫାସୁତୁରା ରଖିବାକୁ କୁହାଯାଉଛି। ଶୁକ୍ରବାର ଆସିକା ବ୍ଲକର ଚେରମାରିଆରୁ ଜଣେ, ଚିକିଟି ବ୍ଲକ କେ.ସୁବାନି ଗ୍ରାମର ଜଣେ ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଚିହ୍ନଟ ରୋଗୀମାନେ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ସହରରେ ବର୍ତ୍ତମାନ ସୁଦ୍ଧା ୧୦ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଜିଲାରେ ମାତ୍ର ୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୩୦୭ ଓ ୨୦୧୮ରେ ୧୫୫ ପଜିଟିଭ ଚିହ୍ନଟ ହୋଇଥିଲେ।